Blog

  • ଚମ୍ପୁଆ ଶିବ ମନ୍ଦିରରୁ ଚୋରି; ଆସାମୀକୁ ୩ ବର୍ଷ ଜେଲ

    ଚମ୍ପୁଆ ଶିବ ମନ୍ଦିରରୁ ଚୋରି; ଆସାମୀକୁ ୩ ବର୍ଷ ଜେଲ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ରାୟ ଶୁଣାଇଛନ୍ତି ମାନ୍ୟବର ଚମ୍ପୁଆ ଏସଡିଜେଏମ କୋର୍ଟ |ମାନ୍ୟବର ଚମ୍ପୁଆ ଏସଡିଜେଏମ ଅଭିଯୁକ୍ତକୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ କି ଗତ ୨୮ /୪/୨୦୧୯ ରିଖ ଚମ୍ପୁଆ ସ୍ଥିତ ଶିବ ମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରୁ ଇନଭଟର ଓ ବ୍ୟାଟେରି ଚୋରି ହୋଇଥିଲା।

    ଏନେଇ ମନ୍ଦିରର ପୂଜକ ମୃଣାଳ କାନ୍ତି ନନ୍ଦ ୨୯ତାରିଖରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଚମ୍ପୁଆ ପୋଲିସ ଚମ୍ପୁଆ ଅଞ୍ଚଳର ମଧୁ ନାଏକ ଓ ରିଙ୍କୁ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଏସଡିଜେଏମ ଦିପକ କୁମାର ସାଥୁଆ ଆଠଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଆସାମି ରିଙ୍କୁ ନାଏକଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ତିନି ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ମଧୁ ନାଏକଙ୍କୁ ଖଲାସ କରିଛନ୍ତି ।

  • ଓରାଲ କ୍ୟାନସର ସର୍ଜିକାଲ ଡେ’ ସଚେତନତା ଶିବିର

    ଓରାଲ କ୍ୟାନସର ସର୍ଜିକାଲ ଡେ’ ସଚେତନତା ଶିବିର

    ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡିଟୋରିୟମରେ ଓରାଲ କ୍ୟାନସର ସର୍ଜିକାଲ ଡେ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିଗାରେଟ୍, ବିଡ଼ି, ଗୁଡାଖୁ, ଗୁଟୁଖା ଓ ଖଇନି ହିଁ ଏହାର ମୂଖ୍ୟ କାରଣ, ତେଣୁ କିପରି ଏହି ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବେ ଓ କ୍ୟାନସରକୁ ପ୍ରାଥମିକ ସ୍ତରରେ କିପରି ଚିହ୍ନିପାରିବେ । ତୁରନ୍ତ କିପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ କ୍ରିଷ୍ଣା ବିକାଶ ମେଡ଼ିକାଲରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ସହ ସମସ୍ତ ରୋଗର ନିରାକରଣ ପାଇବାର ବ୍ୟବସ୍ଥା ରହିଥିବା ବେଳେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ଼ ଓ ସ୍ୱାସ୍ଥ୍ୟ ବୀମା ଧାରି ମାନେ ମଧ୍ୟ ଚିକିତ୍ସା ସେବା ପାଇପାରିବେ ବୋଲି ବିକାଶ ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି |

    ସେହିପରି ଡ଼ାକ୍ତର ମଧ୍ୟ ସଚେତନତା ଅବଲମ୍ବନ କରିବାର କୌଶଳ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନେକ ରୋଗୀ ଓ ସଂପର୍କୀୟଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କ୍ରୀଷ୍ଣା ବିକାଶ ଗୃପର ଏମଡି ବିବେକ ଦଶାରୀଙ୍କ ସହିତ ମୁଖ୍ୟ ବକ୍ତା ଭାବେ ସେଭିକ୍ ଦାଶ କିଲ୍ ଉପସ୍ଥିତ ରହିଥିଲେ ।

  • ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ଆତ୍ମହତ୍ୟା

    ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ଆତ୍ମହତ୍ୟା

    ଭୋଗରାଇ ବ୍ଳକ ତାଳସାରି ସାମୁଦ୍ରିକ ଥାନା ଗମ୍ଭାରିଆ ଗାଁର ଗୌରହରୀ ସେନାପତିଙ୍କ ଝିଅ ରାଜଶ୍ରୀ ଗମ୍ଭାରିଆ ପଞ୍ଚାନନ ଏମଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ମଧ୍ୟାହ୍ନ ଭୋଜନ ସମୟରେ ସେ ଘରକୁ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୂଚନା ଅନୁସାରେ, ରାଜଶ୍ରୀ ଆଜି ସକାଳୁ ସ୍କୁଲ ଯାଇଥିଲେ ହେଁ ମଧ୍ୟାହ୍ନ ୧ଟା ୧୦ ସମୟରେ ବିଦ୍ୟାଳୟରୁ ଘରକୁ ଖାଇବା ପାଇଁ ଆସିଥିଲେ | କିନ୍ତୁ ଘରକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ସ୍କୁଲ ଶିକ୍ଷକମାନେ ରାଜଶ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆଜି ସ୍କୁଲରେ ସେଭଳି କିଛି ଅପ୍ରୀତିକର ପରିସ୍ଥିତି ଶିକ୍ଷକ ମାନେ ଘଟାଇ ଛନ୍ତି, ଯାହାଦ୍ବାରା ମାନସିକ ଭାରସାମ୍ୟ ହରାଇ ଝିଅ ଆତ୍ମହତ୍ୟା କରିଛି | ଦୀର୍ଘ ୪ ଘଣ୍ଟା ହେବ ପୋଲିସକୁ ଖବର ଦେବା ପରେ ବି ଘଟଣାସ୍ଥଳରେ ପହଞ୍ଚି ପାରିନି ପୋଲିସ | ଯାହାକୁ ନେଇ ଅସନ୍ତୋଷ‌ ପ୍ରକାଶ କରିଛନ୍ତି ଗ୍ରାମବାସୀ |

  • ଓଡ଼ିଶାରୁ ମହାକୁମ୍ଭ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ, ୩ ଗୁରୁତର

    ଓଡ଼ିଶାରୁ ମହାକୁମ୍ଭ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ, ୩ ଗୁରୁତର

    ମହାକୁମ୍ଭକୁ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉକ୍ତ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିହାର-ଉତ୍ତରପ୍ରଦେଶ ସୀମାବର୍ତ୍ତି ମଥାନୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

    ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବସ୍‌ଟି ପ୍ରୟାଗରାଜ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।

    ଗୁରୁତର ଥିବା ୩ ଜଣଙ୍କୁ ICUରେ ଭର୍ତ୍ତି କରାଯାଇଛି। ବସ୍‌ ଡ୍ରାଇଭରର ଅସାବଧନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି।

  • ପୋଲିସ ବାରାକରେ କାର୍ଯ୍ୟରତ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

    ପୋଲିସ ବାରାକରେ କାର୍ଯ୍ୟରତ ରିଜର୍ଭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ ବାରାକରେ ଜଣେ ରିଜର୍ଭ ପୋଲିସ କର୍ମଚାରୀଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପୋଲିସ ଜଣକ ହେଉଛନ୍ତି ଦିଲ୍ଲୀପ କୁମାର ମିଶ୍ର, ବୟସ ୫୦ ବୋଲି ଜଣାପଡିଛି | ଦିଲ୍ଲୀପ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ | ବିନିକା ସହର ଠାରେ ଚାଲୁଥିବା ପାପକ୍ଷୟ ଲୋକ ମହୋତ୍ସବ ପାଇଁ କାର୍ଯ୍ୟରେ ଆସିଥିଲେ | ଗତକାଲି କାମ ସାରିବା ପରେ ପୋଲିସ ବାରାକକୁ ଯାଇ ଶୋଇଥିଲେ | ସକାଳୁ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଠାଇବା ବେଳେ ସେ ଆଉ ଉଠିନଥିଲେ | ପରେ ପୋଲିସ ବାରାକକୁ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଦେହ ପୋଲିସ ବାରାକରେ ପଡ଼ିରହିଛି | ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଠାଯିବ ବୋଲି ପୋଲିସ ପାଖରୁ ସୂଚନା ମିଳିଛି | କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସୂଚନା ମିଳିବ ବୋଲି ଜଣାପଡିଛି |

  • ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

    ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

    ରାଇରଙ୍ଗପୁର ମହତାବ ଭବନ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା, ସିଡିପିଓ କୁଇଲି ମଣି ଟୁଡୁ, ରାଇରଙ୍ଗପୁର ଏବିଡ଼ିଓ ସୁରେଇ ମାରାଣ୍ଡି, ବ୍ଲକ ଜେଇ ପ୍ରଶାନ୍ତ କୁମାର ଦାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ଓ ଅଧ୍ୟାପିକା ତନ୍ମୟ ରଥଙ୍କ ସମେତ ଅନ୍ୟ ଅତିଥିଗଣ ଯୋଗ ଦେଇଥିଲେ|

    କେବଳ ନାରୀମାନେ ଶୋଷଣର ଶିକାର ହେଉଛନ୍ତି ତା’ ନୁହେଁ ପୁରୁଷ ମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସ୍ୱାମୀ ଓ ସ୍ତ୍ରୀ ଭିତରେ କେମିତି ସୁସମ୍ପର୍କ ରହିବ ଏବଂ ଆଜିର ସମାଜରେ ଶାଶୁ ଓ ଶ୍ବଶୁରଙ୍କୁ ବୋହୁ ମାନେ କିପରି ନିର୍ଯାତନା ଦେଉଛନ୍ତି ସେ ବିଷୟରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ |

    ଏହା ସହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୌତୁକ ନିର୍ଯାତନାକୁ କିପରି ରୋକିହେବ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଥିବା ରାଇରଙ୍ଗପୁର ବ୍ଲକର ସମସ୍ତ ସରପଞ୍ଚ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଛାତ୍ରୀ, ରାଇରଙ୍ଗପୁର ବ୍ଲକର ସମସ୍ତ ଅଙ୍ଗନବାଡିର କର୍ମଚାରୀ ଏବଂ ରାଇରଙ୍ଗପୁର ବ୍ଲକର ସମସ୍ତ ଆଶା ଦିଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

  • ଚାନ୍ଦବାଲିରେ କୃଷି ବିଜ୍ଞାନ ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର

    ଚାନ୍ଦବାଲିରେ କୃଷି ବିଜ୍ଞାନ ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନ ଠାରେ କୃଷକ ସଚେତନତା ଶିବିର ସହ ମତ୍ସ୍ୟଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ତରଫରୁ ଅନୁଷ୍ଠିତ ଶିବିରରେ ଶହ ଶହ କୃଷକ ମାନେ ଉପସ୍ଥିତ ରହି ଯୋଗ ଦେଇଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ବିଭାଗର ଅଧିକାରୀମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

    ଚାନ୍ଦବାଲି ବିଡିଓ ସଞ୍ଜିବ କୁମାର ମହାପାତ୍ର ଓ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଚାଷୀ ଭାଇ ମାନେ ସାର ବିନା କିପରି ଚାଷ କରି ଅଧିକ ଫଳ ଫଳାଇପରିବେ ସେ ବିଷୟ ରେ ସଚେତନ କରାଯାଇଥିଲା। ସରକାର ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରୁଥିବା ଯୋଜନା ରୁ ଚାଷୀ ମାନେ କିପରି ଲାଭ ପାଇପାରିବେ ସେ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ ସଞ୍ଜୟ କୁମାର ମହାନ୍ତି, ମସ୍ୟ ବୈଜ୍ଞାନିକ ଡ ବିଶ୍ୱ ରଞ୍ଜନ ସାମନ୍ତରାୟ, ଭଦ୍ରକ ରାଣୀତାଲର କୃଷି ବୈଜ୍ଞାନିକ ଡ ବିଜୟ ଲଷ୍ମୀ ମହାନ୍ତି, ବୈଜ୍ଞାନିକ ଡ ଗୟାଧର ଶିଆଳ, ଗୃହ ବିଜ୍ଞାନ ବୈଜ୍ଞାନିକ ବିଜୟ ଲଷ୍ମୀ ରାଉତ, କର୍ମଚାରୀ ସୁଶାନ୍ତ କୁମାର ସିଂ, ନାବାଡର ଜିଲ୍ଲା ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ,ଏନ ନାଗେଶ୍ୱର ରାଓ, ଜିଲ୍ଲା କୃଷି ଅଧିକାରୀ ଦିଜବର ସେଠୀ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ ତରୁନ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

  • ସରକାରଙ୍କ ଉଦାସୀନତାରେ ମିଶନ ଶକ୍ତି ହତାଶ

    ସରକାରଙ୍କ ଉଦାସୀନତାରେ ମିଶନ ଶକ୍ତି ହତାଶ

    ବନ୍ଦ ହେବାକୁ ଯାଉଛି ଟେରାକୋଟା କାର୍ଯ୍ୟ, ହତାଶାରେ ମିଶନ ଶକ୍ତି ମହିଳା,ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବନ୍ଦ ହେବାକୁ ଯାଉଛି ଫତେପୁରର ଟେରାକୋଟା କାର୍ଯ୍ୟ, କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ କାର୍ଯ ବନ୍ଦ ହୋଇଯାଇଛି, ଫଳରେ ଟେରାକୋଟାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି ।

    ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ଠାରେ ପୂର୍ବ ସରକାରଙ୍କ ସମୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଟେରାକୋଟା ତାଲିମ୍ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ବତନ୍ତ୍ର କ୍ଲଷ୍ଟର ମାଧ୍ୟମରେ ଗୋଟିଏ ସ୍ଥାନରେ ଉତ୍ପାଦନ ସହିତ ଉତ୍ପାଦିତ ଟେରାକୋଟା ସାମଗ୍ରୀ ଗୁଡିକୁ ବିକ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତି ଗୃହ ଏବେ ଅସୁରକ୍ଷିତ ହୋଇପଡିଛି। ଗୃହର ପାଚେରୀ ନଥିବାରୁ ଅସାମାଜିକ ଲୋକମାନଙ୍କର ଆଡ୍ଡା ପାଲଟିଛି ମିଶନ ଶକ୍ତି ଗୃହ ‌। ୪୦ ରୁ ଉର୍ଦ୍ଧ ମହିଳା ଏହି ଅସାମାଜିକ ଲୋକଙ୍କ ଯୋଗୁଁ ଦେଢ଼ମାସ ହେଲା କାମ ବନ୍ଦ କରିଦେଇଛନ୍ତି। ଏପରିକି ସେମାନଙ୍କ କଞ୍ଚା ମାଲ୍ ଯଥା- କୁଟା, କାଠ ଗୁଡ଼ିକୁ କେହି ନିଆଁ ଲଗାଇ ନଷ୍ଟ କରିଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅବିଯୋଗ ହୋଇଛି ।

  • ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା

    ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ମହାରାଜଙ୍କ ତତ୍ବାବଧାନରେ ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଲମ୍ବୋଦର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା |

    ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୋଦ କୁମାର କର, ବ୍ରହ୍ମାନନ୍ଦ ନାୟକ, ଅନନ୍ତ ପ୍ରସାଦ ସ୍ବାଇଁ, ପ୍ରଦୀପ ଜେନା, ବବିତା ନାୟକ, ପଦ୍ମନାଭ ଉପାଦେୟ, ପ୍ରଭାବତି ବେହେରା, କାଞ୍ଚନ ମହାଳିକ, ଅର୍ଜୁନ ପାତ୍ର, ବିଜୟ କୁମାର ନାଏକ, ଦାରାସିଂ ନାଏକ, ଯୟନ୍ତି ଲତା ଦାସ, ପ୍ରତିମା ମହାନ୍ତି, କୁନି ଲତା ମହାପାତ୍ର ଓ ଅନ୍ୟ ସହକାରୀ ଶିକ୍ଷକ ମାନେ ଉପସ୍ଥିତ ରହି ନିପୁଣ ଓଡ଼ିଶା ମେଳାଟିକୁ ଆଗକୁ ନେଇଥିବା ଦେଖିବାକୁ ମିଳିଛି |

    ଛାତ୍ରଛାତ୍ରୀମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହେଉଛି ସରକାରଙ୍କ ନିପୁଣ ଓଡ଼ିଶା ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ତୋଟାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଲମ୍ବୋଦର ସାହୁ ମତପ୍ରକାଶ କରିଛନ୍ତି |

  • ଚାଷି ପାଇଲେନି ବିହନ ସାର, ଆମେ ଚାଷୀ ନା ମୋଚି!

    ଚାଷି ପାଇଲେନି ବିହନ ସାର, ଆମେ ଚାଷୀ ନା ମୋଚି!

    ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଚନ୍ଦ୍ରପୁର ବ୍ଲକ, ଏହି ବ୍ଲକର ୮ ଟି ପଂଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଗରିବ ଲୋକମାନେ ପ୍ରାୟତଃ କୃଷିକାର୍ଯ ଉପରେ ନିର୍ଭର କରିଥାନ୍ତି, ଚାଷକୁ ଭରସା କରି ପେଟ ପୋଷୁଥିବା ଏହି ଗରିବ ଲୋକଙ୍କ ଉପରେ ଏବେ ଦାଉ ସାଧିଛି କୃଷି ବିଭାଗ, ହଁ ଆଜ୍ଞା, ରାଜ୍ୟ ସରକାର ଏଞ୍ଜିଓ ମାଧ୍ୟମରେ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେଉଛନ୍ତି, କିନ୍ତୁ ଚନ୍ଦ୍ରପୁର ବ୍ଲକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି, ଏଞ୍ଜିଓ ଓ କୃଷି ବିଭାଗ ପକ୍ଷରୁ ଚାଷିଙ୍କ ପାଇଁ ବିହନ, ବିରି, ସୋରିଷ, ମାଣ୍ଡିଆ, ରାଶି ସହିତ ବିଭିନ୍ନ ରାସାୟନିକ ସାର ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀଙ୍କୁ ପ୍ରତାରିତ କରୁଛି ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ, ସେଥିଲାଗି ବଞ୍ଚିତ ଅଛନ୍ତି ଚନ୍ଦ୍ରପୁର ବ୍ଲକର ଚାଷୀମାନେ, ଆଇକାର୍ଡ ଏଞ୍ଜିଓ ହରିଲୁଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ, ଆମକୁ କାହିଁକି ବିହନ ମିଳିବନି ବୋଲି ସମ୍ପୃକ୍ତ ଏଞ୍ଜିଓକୁ ଚାଷୀମାନେ ପଚାରିବାରୁ ସେ କହିଛନ୍ତି ଯେ ତମେ କିଏ ଚିହ୍ନିନୁ, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ ପ୍ରକୃତ ଚାଷୀଙ୍କୁ ବାଦ ଦେଇ ଅଣଚାଷୀଙ୍କୁ ବିହନ ଦେଉଥିବା କହିଛନ୍ତି ଚାଷୀ, ଏ ନେଇ କଣ କହୁଛନ୍ତି ଚାଷୀ ଶୁଣନ୍ତୁ ।

    ଏଠାରେ ପ୍ରଶ୍ନ ଉଠୁଛି, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓର ବିହନ ହେରଫେର ପଛରେ କାହାର ହାତ ରହିଛି କି? ଯଦି କୃଷି ବିଭାଗ ଚାଷୀ ଓ ଅଣଚାଷୀଙ୍କ ତଥ୍ୟ ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓକୁ ପ୍ରଦାନ କରି ବିହନ ବଣ୍ଟନର ଦାୟିତ୍ବ ଦେଇଛି, ତେବେ କାହିଁକି ଗରିବ ଚାଷୀଙ୍କୁ ହତାଦର କରୁଛି ଏଞ୍ଜିଓ ? ନା ରହିଛି ବଡ ଘୋଟାଲାର ଷଡଯନ୍ତ୍ର ? ଏ ନେଇ ସଂପୃକ୍ତ ଆଇକାର୍ଡ ଏଞ୍ଜିଓ ଚନ୍ଦ୍ରପୁର ଏବଂ କୃଷି ବିଭାଗର କର୍ମଚାରୀ ରଞ୍ଜିତ କୁମାର ଗମାଙ୍ଗଙ୍କୁ ପଚାରିବାରୁ ସେ କୈାଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ।

    ଏଥିରୁ ଯାହା ସ୍ପଷ୍ଟ ଜଣାପଡ଼ୁଛି କୃଷି ବିଭାଗ ଏବଂ ଆଇକାର୍ଡ ଏଞ୍ଜିଓର ଦୁର୍ନୀତି ଖୁବଶୀଘ୍ର ପର୍ଦ୍ଦାଫାସ୍ ହେବାକୁ ଯାଉଛି। ଚନ୍ଦ୍ରପୁର ବ୍ଲକର ନୀରୀହ ଗରୀବ ଆଦିବାସୀ ଚାଷିମାନଙ୍କ ପ୍ରତି ହୋଇଥିବା ଦୁର୍ନୀତି ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ଚାଷୀମାନେ ଅଭିଯୋଗ କରିଛନ୍ତି।