Blog

  • ଧାନ ବଦଳରେ କିଣା ଚାଲିଛି ଟୋକନ, ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ପରେ ଦେଖିବା

    ଧାନ ବଦଳରେ କିଣା ଚାଲିଛି ଟୋକନ, ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ପରେ ଦେଖିବା

    ଚାଷୀଙ୍କ ବୋନସ ଟଙ୍କା ହଡପ କରିବାକୁ ଚାଲିଛି ମସୁଧା, ଚାଷୀଙ୍କୁ ଶୋଷଣ କରିବାର ଆଉ ଏକ ନୂଆ ତରିକା ଆପଣାଇଛନ୍ତି ଧାନ ମଣ୍ଡିର ସମ୍ପାଦକ | ପ୍ରଥମେ ଟୋକନ ତାରିଖ ମାସେ ଅଛି ବ୍ୟସ୍ତ ହୁଅନି, ତା ପରେ ମଣ୍ଡିରେ ଧାନ ବହୁତ ଷ୍ଟକ ଅଛି ଆଉ ଶେଷରେ ଧାନ କିଣିବା ଆଉ ସମ୍ଭବ ନୁହେଁ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଆଇ ସ୍କାନ କରି ଟୋକନ ଆମକୁ ବିକ୍ରି କରି ଦିଅ, ଆଉ କୁଇଣ୍ଟାଲ ପିଛା ୩୦୦ ଟଙ୍କା ନେଇଯାଅ ବୋଲି କହୁଛନ୍ତି ସୋସାଇଟି ସମ୍ପାଦକ | ଏମିତି କିଛି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଜଳେଶ୍ବରପୁର ପ୍ରାଥମିକ କୃଷି ସମବାୟ ସମିତିରୁ । ଶୁଣନ୍ତୁ କଣ କହୁଛନ୍ତି ଚାଷୀ ସଞ୍ଜୁଲତା ବଳ–

    ଚାଷୀ ମିନତୀ ବଳଙ୍କୁ ଫୋନ କରି କୁହାଯାଇଛି କି, ବର୍ଷା ହେଲା, ଧାନ ଗଜା ହେଲାନି, ଧାନ ତ ମଣ୍ଡି ନେଉନି, ଆମେ ଧାନ କେମିତି କିଣିବୁ, ତୁମର କୁପନ କଟିଯିବ, ତମେ ଗୋଟେ କାମ କର, କ୍ଵିଣ୍ଟାଲ ପିଛା ୩ ଶହ ଟଙ୍କା ନେଇ ଆଖି ସ୍କାନ କରିଦିଅ, ବେପାରୀଙ୍କୁ ଧାନ ବିକ୍ରି କରିଦିଅ

    ସେପଟେ ଚାଷୀଙ୍କର ଏ ସମସ୍ତ ଅଭିଯୋଗକୁ ସୋସାଇଟି ତରଫରୁ ଖଣ୍ଡନ କରାଯାଇଛି | ସମସ୍ତ ଅଭିଯୋଗ ମିଥ୍ୟା, କିଛି ମାଫିଆମାନେ ଚାଷୀଙ୍କ ଠାରୁ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି |

    କହିରଖୁଛୁ କି, ଜାନୁଆରୀ ୨୭ ତାରିଖରେ ଉକ୍ତ ଦୁଇ ଚାଷୀଙ୍କର ଟୋକାନ ତାରିଖ ଥିଲା । ଧାନ ବିକ୍ରି କରିବା ପାଇଁ ପ୍ରଥମେ ସମବାୟ ସମିତିର ସମ୍ପାଦକ ବୃନ୍ଦାବନ ଭଳଙ୍କୁ ଦେଖା କରିଥିଲେ । ଧାନ ବସ୍ତା କରି ରଖ ତୁମ ସିରିଏଲ ପଡିଲେ କଲ ଯିବ, ତାପରେ ଧାନ ଦେବ । ପୁଣି କିଛି ଦିନ ଗଲା ପରେ ମଣ୍ଡିରେ ଧାନ ଷ୍ଟକ ଅଛି ସମୟ ହେଲେ କଲ ଯିବ । ଏପରି ବାରମ୍ବାର ଦୌଡ଼ି ଦୌଡ଼ି ଥକି ପଡ଼ିଲେ ଦୁଇ ମହିଳା । ଶେଷରେ ଟୋକନ କଟିବାର ଦୁଇ ଦିନ ପୂର୍ବରୁ କଲ ଆସିଲା, ଅଫିସକୁ ଆସି ଦେଖା କର । ଅଫିସ ଗଲା ପରେ ଏଥର ସମ୍ପାଦକ କହିଲେ ଆଉ ଧାନ ଦେବା ସମ୍ଭବ ନୁହେଁ ତୁମେ ଆଇ ସ୍କାନ କରି କୁଇଣ୍ଟାଲ ପିଛା ୩୦୦ଟଙ୍କା ନେଇ ଯାଅ । ଆଉ ରଖିଥିବା ଧାନକୁ ବାହାରେ ବିକ୍ରି କରିଦିଅ । ଜଣେ କି ଦୁଇ ଜଣ ନୁହେଁ ଏମିତି ବହୁ ଚାଷୀଙ୍କ ଠାରୁ ଟୋକନ କିଣି ବାହାରୁ ଧାନ ସଂଗ୍ରହ କରି ମିଲକୁ ପଠାଉଛନ୍ତି ସମ୍ପାଦକ । କୁଇଣ୍ଟାଲ ପିଛା ଚାଷୀଙ୍କୁ ୩୦୦ଟଙ୍କା ଦେଇ ଚାଷୀଙ୍କ ବୋନସ ଟଙ୍କା ହଡପ କରି ମାଲେ ମାଲ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସରକାରୀ ସ୍ତରରେ ଏହାର ତଦନ୍ତ ଆବଶ୍ୟକତା ହେବା ସହ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି

  • ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ, ମାଠିଏ ପାଣି ପାଇଁ ଯିବାକୁ ପଡୁଛି ଦେଢରୁ ଦୁଇ କିଲୋମିଟର ରାସ୍ତା

    ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ, ମାଠିଏ ପାଣି ପାଇଁ ଯିବାକୁ ପଡୁଛି ଦେଢରୁ ଦୁଇ କିଲୋମିଟର ରାସ୍ତା

    ଖରାଦିନ ଆଗରୁ ଦେଖା ଦେଲାଣି ଜଳ ସମସ୍ୟା | ମାଠିଏ ପାଣି ପାଇଁ ଦେଢରୁ ଦୁଇ କିଲୋମିଟର ଯିବାକୁ ପଡୁଛି | ଦୁଇମାସରୁ ଅଧିକ ହେବ ଅଚଳ ହୋଇପଡ଼ିଛି ସାହିରେ ଥିବା ଏକମାତ୍ର ନଳକୂପ | ଅନ୍ୟପଟେ ସାହିକୁ ପାଇପ ପାଣି ଯୋଗାଣ ପାଇଁ ୨ ବର୍ଷରୁ ଅଧିକ ହେବ ପାଇପ ପୋତା ସରିଥିଲେ ସୁଦ୍ଧା ପାଇପ ପାଣିର ଦେଖା ନାହିଁ |

    ଗ୍ରୀଷ୍ମ ଆରମ୍ଭରୁ ଚମ୍ପୁଆ ବ୍ଲକରେ ଦେଖା ଦେଲାଣି ପାଣି ସମସ୍ୟା | ଵ୍ଲକରେ ପାଇପ ପାଣି ଯୋଗାଣରେ କଚ୍ଛପ ଗତି ଯୋଗୁ ଦିନକୁ ଦିନ ଏଠାରେ ପାଣି ସମସ୍ୟା ଗୁରୁତର କରୁଛି | ଚମ୍ପୁଆ ବ୍ଳକ ରିମୁଳି ପଞ୍ଚାୟତ ପ୍ରତାପପଶି ଭୂମିଜ ସାହିର ପାଖାପାଖି ଏକ ଶହ ପରିବାର ବସବାସ କରୁଥିବା ବେଳେ ସାହିରେ ରହିଛି ଗୋଟିଏ ମାତ୍ର ନଳକୂପ | ତେବେ ନଳକୂପଟି ଦୁଇ ମାସରୁ ଅଧିକ ହେବ ଅଚଳ ହୋଇ ପଡିରହିଥିବାବେଳେ ଏନେଇ ବାରମ୍ଵାର ପଞ୍ଚାୟତକୁ ଜଣାଇ ଆସୁଥିଲେ ସୁଦ୍ଧା ପଞ୍ଚାୟତ କତୃପକ୍ଷ ଏହାର ମରାମତି ପାଇଁ ଦୃଷ୍ଟି ଦେଇନାହିଁନ୍ତି | ସେହିପରି ଦେଢବର୍ଷରୁ ଅଧିକ ହେବ ସାହିକୁ ପାଇପ ପାଣି ଯୋଗାଣ ପାଇଁ ପାଇପ ପୋତାଯାଇ ଷ୍ଟାଣ୍ଡ ପୋଷ୍ଟବସିଥିଲେ ସୁଦ୍ଧା ପାଣି ଯୋଗାଣ ହେଉ ନଥିବାରୁ ପାଣି ମୁନ୍ଦେ ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାହି ବାସୀ | ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀମାନେ |

    ନଳକୂଅ ଅଚଳ ସହିତ ପାଇପ ପାଣି ଯୋଗାଣରେ ଅହେତୁକ ବିଳମ୍ବରୁ ପାଣିପାଇଁ ଦେଢ କିଲୋମିଟରରୁ ଅଧିକ ହେବ ଏକ ଘରୋଇ ବିଦ୍ୟାଳୟ ଉପରେ ଭରସା କରୁଛନ୍ତି ସାହିବାସୀ | ତେବେ ଏହି ନଳକୂଅ ମରାମତି ପାଇଁ ପଞ୍ଚାୟତକୁ ଦଉଡି ଦଉଡି ନୟାନ୍ତ ହେଉଥିବାବେଳେ ପଞ୍ଚାୟତ କର୍ତ୍ତୁପକ୍ଷ ନଳକୂପ ମରାମତି ପାଇଁ ଗୁରୁତ୍ଵ ଦେଉନଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମବାସୀ |

    ଅନ୍ୟପଟେ ଏନେଇ ରିମୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ମୋଦି କହିଛନ୍ତି ନଳକୂପ ଅଚଳ ସମ୍ପର୍କରେ ମୋତେ କେହି ଜଣାଇ ନାହାନ୍ତି, ତେବେ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି |

    ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ କଷ୍ଟରେ ଲୋକମାନେ ତ୍ରାହି ତ୍ରାହି ଛାଡିବା ଆରମ୍ଭ କଲେଣି | ଏତିକିବେଳେ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ | କେବଳ ଏଇ ଗୋଟିଏ ସ୍ଥାନରେ ଜଳ ସମସ୍ଯା ଆରମ୍ଭ ହୋଇନାହିଁ | ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ସରକାରଙ୍କ ଦୃଷ୍ଟି ନିକ୍ଷେପ କରିବା ନିହାତି ଆବଶ୍ୟକ |

  • ୩ ଦୋକାନ ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

    ୩ ଦୋକାନ ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

    ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି | ପାରାଦ୍ଵୀପ ଦୋଛକି ନିକଟରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି | ସୂଚନା ଅନୁଯାୟୀ, ଏକ ଗ୍ୟାରେଜରେ ଥିବା ପୋଡ଼ା ମୋବିଲ ତେଲରେ ପ୍ରଥମେ ନିଆଁ ଲାଗିଯାଇଥିଲା | ଫଳରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା |

    ସେଠାରେ ଥିବା ବ୍ୟବସାୟୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ହେଲେ ଅଗ୍ନିଶମ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ନିକଟରେ ଥିବା ଅନ୍ୟ ଦୋକାନ ଘର ଓ ଏକ କେବିନ୍କୁ ନିଆଁ ଧରି ଯାଇଥିଲା। ନିଆଁର ତ୍ରିବତା ଏତେ ଅଧିକ ଥିଲା ଯେ ପାଖରେ ଥିବା ୩ଟି ଯାକ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଗଲା | ତେବେ ଗ୍ୟାରେଜରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ଲିଭାଇବାକୁ ଯାଇ ଦୁଇଜଣ ବ୍ୟବସାୟୀ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି | ପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା |

  • ବିଜେପିରେ ଯୋଗ ଦେଲେ ଚାରି ସମାଜସେବୀ

    ବିଜେପିରେ ଯୋଗ ଦେଲେ ଚାରି ସମାଜସେବୀ

    କୋରାପୁଟ ଜିଲ୍ଲାର ବରିଷ୍ଠ ସମାଜସେବୀ ଡ଼ଃ ରାଜକିଶୋର ନାୟକ ଓ ସେବା ଓ ସହଯୋଗ ଲିଭ ଫର ଅଦର୍ସର ପ୍ରତିଷ୍ଠାତ୍ରି ସ୍ନିଗ୍ଧାରାଣୀ ମିଶ୍ର, ସମର୍ଥକ ଗଜାନନ ପାଣିଗ୍ରାହୀ, ଅମର ନାୟକ ଓ ଅନ୍ୟାନ୍ୟ କର୍ମୀଙ୍କ ସହ ବିଜେପି ଦଳରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି |

    ସେଥିଲାଗି ଆଜି ସିମିଳିଗୁଡା ଠାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି |

    ସୂଚନା ଅନୁଯାୟୀ, ଗତକାଲି କୋରାପୁଟରେ ମନ୍ତ୍ରୀ ରବି ନାୟକ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ, ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲୀ, ବିଜେପି ବରିଷ୍ଠ ନେତା ତ୍ରିନାଥ ପଣ୍ଡା, କାଲିରମ ମାଝୀ ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ଅନୁ ପ୍ରାଣିତ ହୋଇ ଆଜି ଲେମନ କାଷ୍ଟଲ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିରେ ଚାରିଜଣ ସମାଜ ସେବି ବିଜେପିରେ ଯୋଗ ଦେଇଛନ୍ତି |

  • ଘଷିପୁରା ନିର୍ବାଚନ ମଣ୍ଡଳିରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

    ଘଷିପୁରା ନିର୍ବାଚନ ମଣ୍ଡଳିରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ସୁଆଁପଦା ହାଟ ପଡିଆଠାରେ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି | ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ବରେ ହଜାର ହଜାର ବିଜୁ ପ୍ରେମୀ ଓ ବିଜେଡି କର୍ମୀ ଙ୍କ ସମାଗମରେ ପାଳିତ ହୋଇଛି | ଘସିପୁରା ଏବଂ ଘଟଗାଁ ବ୍ଲକର ବିଜେଡି ସମର୍ଥିତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ବିଜୁବାବୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ବିଜୁ ଜୟନ୍ତୀ ଅବସରରେ ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ଶିର୍ଷକ ଉପରେ ଆଲୋଚନାରେ ଅନେକ ନେତା ଅଂଶ ଗ୍ରହଣ କରିଥିଲେ |

    ଆଧୁନିକ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ଅତୁଳନୀୟ | ସେ ରାଜ୍ୟ ବାସୀଙ୍କ ହିତ ପାଇଁ ବିଭିନ୍ନ ପ୍ରସଙ୍ଗକୁ ଦୃଢତାର ସହ ମୁକାବିଲା କରିପାରିଥିଲେ ବୋଲି କହିଥିଲେ। ଆଗାମୀ ଦିନରେ ଦଳ କିପରି ସୁଦୃଢ଼ ହୋଇପାରିବ, ଏଥିପ୍ରତି ସମସ୍ତେ ସଚେତନ ହୁଅନ୍ତୁ ବୋଲି ବରିଷ୍ଠ ନେତୃ ମଣ୍ତଳି କହିଛନ୍ତି | ବିଜେଡି ନେତୃମଣ୍ତଳୀଙ୍କ ମଧ୍ୟରେ ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ହରିପ୍ରସାଦ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ସଂଜୟ ମଲ୍ଲିକ, ବୁଲୁ ପଟ୍ଟନାୟକ, ଅକ୍ଷୟକୁମାର ସାହୁ, ଗୋପିନାଥ ସ୍ବାଇଁ, ନନ୍ଦ କିଶୋର ବେହେରା, ଆକାଶ ରଥ, ବିଭାସଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସ୍ମୀତା ଦାସ, ପଣ୍ତାପଡା ଜୋନ ଯାଜ୍ଞସିନୀ ମହାନ୍ତ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତରାଣୀ ନାୟକ, ବିଜେଡି ନେତା ଦେବାଶିଷ ପାତ୍ର ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ |

  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ; ଗର୍ଜିଲା ଚାନ୍ଦବାଲି ବିଜେଡି

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ; ଗର୍ଜିଲା ଚାନ୍ଦବାଲି ବିଜେଡି

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ ବିରୁଦ୍ଧରେ ସାରା ରାଜ୍ୟ ପରି ଚାନ୍ଦବାଲିରେ ବିଜେଡ଼ିର ରଣହୁଙ୍କାର ଦେଖିବାକୁ ମିଳିଛି | ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ |

    ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଳକ ସମ୍ମୁଖରେ ବିଜୁ ଜନତା ଦଳର ଶହ ଶହ ନେତା ଓ କର୍ମୀ ଯୋଗ ଦେଇ ଓଡ଼ିଶା ସରକାରଙ୍କ ହୀନ ରାଜନୀତିକୁ ସମାଲୋଚନା କରିଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏପରି ନିଷ୍ପତ୍ତି ପ୍ରତ୍ୟାହାର ଜରିବାକୁ ଦାବି କରିଛନ୍ତି |

  • ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣା; ଜଣେ ମୃତ, ଚାରି ଆହତ

    ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣା; ଜଣେ ମୃତ, ଚାରି ଆହତ

    ଗତକାଲି ରାତି ପ୍ରାୟ ୯ଟା ବେଳେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଚମ୍ପୁଆ ପଟେ ଆସୁଥିବା ଏକ ଟ୍ରାକ୍ଟର ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇ ଏକ ସ୍କୁଟିକୁ ଧକ୍କା ଦେଇଥିଲା |

    ସ୍କୁଟିରେ ଥିବା ଯାମୁଦଲକ ପଞ୍ଚାୟତର ନିର୍ବାହୀ ଅଧିକାରୀ କାଶିପ୍ରଭା ମହାନ୍ତି ଘଟଣାସ୍ଥଳରେ ମୣତ୍ୟୁବରଣ କରିଛନ୍ତି | ତାଙ୍କ ସହିତ ସ୍କୁଟିରେ ବସିଥିବା ସୁନାପଶି ପଞ୍ଚାୟତ ନିର୍ବାହୀ ଅଧିକାରୀ ରଚୟିତା ସେନାପତି ଆହତ ହେଇଛନ୍ତି |

    ଅନ୍ୟପଟେ ଟ୍ରାକ୍ଟର ସହ ଧକ୍କା ହେଇଥିବା କାରଟି ସାମ୍ନାରେ ଯାଉଥିବା ଦୁଇ ବାଇକକୁ ଧକ୍କା ଦେଇଥିଲା | ବାଇକରେ ଥିବା ମଙ୍ଗଳପୁର ଗାଁର କୁମାରମୂର୍ତ୍ତି ପ୍ରଧାନ, ପାଞ୍ଚ ପୋଖରିଆ ଗାଁର ରଞ୍ଜନ ଗିରି ଓ ମନୋଜ ନାଏକ ଗୁରୁତର ଆହତ ହୋଇଛନ୍ତି |ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ କାର ଡ୍ରାଇଭର ଗିରଫ କରାଯାଇଛି |

  • ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

    ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

    ଜଗନ୍ନାଥଙ୍କୁ ବି ଛାଡିଲେନି | ଜଗନ୍ନାଥ ମନ୍ଦିରରେ ପଶି ଲୁଟିଲେ ଦୁର୍ବୃତ୍ତ | ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ ହୋଇଛି | ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଲୁଟ କରିଛନ୍ତି |

    ସୂଚନା ଅନୁଯାୟୀ, ଗତକାଲି ମନ୍ଦିରର ନନା ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଯାଇଥିଲେ | କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସି ଦେଖିବା ବେଳକୁ ମନ୍ଦିରର ଉତ୍ତର କବାଟ ତାଲା କାଟି ଦୁର୍ବୃତ୍ତ ମାନେ ଭିତରକୁ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଛନ୍ତି |

    ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି |

    ତେବେ ଦୁର୍ବୃତ୍ତ ମାନେ କେତେ ଟଙ୍କା ଲୁଟ କରିଛନ୍ତି ତାହା ସ୍ପଷ୍ଟ ଜଣା ପଡିନାହିଁ | ଦିନକୁ ଦିନ ବାଲିଆପାଳ ଅଞ୍ଚଳରେ ଏଭଳି ଚୋରି ବଢୁଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ |

  • ଆବୁ ଆଜମୀଙ୍କ ପୁଅ ପାଇଁ ଢାଲ ସାଜିଲେ ତାଙ୍କ ଅଭିନେତ୍ରୀ ପତ୍ନୀ, ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଖାଇଲେ ଗୋଆ କାଣ୍ଡ ଘଟଣାର

    ଆବୁ ଆଜମୀଙ୍କ ପୁଅ ପାଇଁ ଢାଲ ସାଜିଲେ ତାଙ୍କ ଅଭିନେତ୍ରୀ ପତ୍ନୀ, ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଖାଇଲେ ଗୋଆ କାଣ୍ଡ ଘଟଣାର

    ସଲମାନ ଖାନଙ୍କ ଫିଲ୍ମ ‘ୱାଣ୍ଟେଡ୍’ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଆୟେଶା ଟାକିଆ ଦୀର୍ଘ ସମୟ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ତାଙ୍କର କୌଣସି ଫିଲ୍ମ କିମ୍ବା ନୂତନ ପ୍ରୋଜେକ୍ଟ ପାଇଁ ଖବରରେ ନାହାନ୍ତି। ବର୍ଷ ବର୍ଷ ପରେ ପୁଣି ଥରେ ଫେରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉନାହାଁନ୍ତି ଏହି ଅଭିନେତ୍ରୀ। ବଲିଉଡ ଛାଡିଥିବା ଏହି ଅଭିନେତ୍ରୀ ଏବେ ତାଙ୍କ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବରେ ଲୋକଙ୍କ ସହିତ ନିଜର ମତାମତ ବାଣ୍ଟିଥାନ୍ତି। ଏଥର ମଧ୍ୟ ସେ ତାଙ୍କ ସ୍ୱାମୀ ଫରହାନ ଆଜମିଙ୍କ ପକ୍ଷ ସାରା ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି। ଗୋଟିଏ ପରେ ଗୋଟିଏ ନୂଆ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ, ସେ ଗୋଆରେ ତାଙ୍କ ସ୍ୱାମୀଙ୍କ ସହ ଘଟିଥିବା ଘଟଣାର ପ୍ରମାଣ ଉପସ୍ଥାପନ କରିବାରେ ବ୍ୟସ୍ତ।

    ପ୍ରକୃତରେ, ମଙ୍ଗଳବାର ଦିନ, ଆବୁ ଆଜମୀଙ୍କ ପୁଅ ଏବଂ ଆୟେଶା ଟାକିଆଙ୍କ ସ୍ୱାମୀ ଫରହାନ ଆଜମୀଙ୍କୁ ଗୋଆ ପୋଲିସ ଅଟକ ରଖିଥିଲା। ତାଙ୍କ ବିରୋଧରେ ଅବହେଳା କରି ଗାଡ଼ି ଚଲାଇବା ଏବଂ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲା ଉତ୍ତର ଗୋଆର କାଣ୍ଡୋଲିମ୍ ଅଞ୍ଚଳରୁ ରିପୋର୍ଟ ହୋଇଛି। ଏବେ ଏହି ମାମଲାରେ, ଆୟେଶା ଟାକିଆ ତାଙ୍କ ସ୍ୱାମୀଙ୍କୁ ନିର୍ଦୋଷ ବୋଲି ଘୋଷଣା କରିଛନ୍ତି ଏବଂ ଅନେକ ପ୍ରମାଣ ସହିତ ତାଙ୍କ ସ୍ୱାମୀଙ୍କ ପକ୍ଷ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଆୟେଶା ଇନଷ୍ଟାଗ୍ରାମରେ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ପୁଅଙ୍କୁ ଗୋଆରେ ଧମକ ଦିଆଯାଇଥିଲା ଏବଂ ମାନସିକ ଭାବରେ ହଇରାଣ କରାଯାଇଥିଲା। ଅଭିନେତ୍ରୀ ଜଣକ ଏହା ମଧ୍ୟ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଏବଂ ପୁଅର ଜୀବନ ସେହି ସମୟରେ ବିପଦରେ ଥିଲା ଏବଂ ସେ ଘଟଣାସ୍ଥଳକୁ ପୋଲିସକୁ ଡକାଇଥିଲେ।

    ଅନେକ ଯୁକ୍ତିତର୍କ ପରେ, ଆୟେଶା ଟାକିଆ ଗତ ଦିନର ଆହୁରି ଅନେକ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଏଥିମଧ୍ୟରୁ ଗୋଟିଏରେ ଆୟେଶା ଟାକିଆ ଲେଖିଛନ୍ତି, ‘ଗୋଆ ପୋଲିସ ଏହି ଦୁର୍ବୃତ୍ତମାନଙ୍କୁ ମଧ୍ୟ ଗିରଫ କରିଛି।’ ଦୟାକରି ଏହି ଭିଡିଓ ଦେଖନ୍ତୁ। ଏହି ଗୁଣ୍ଡାମାନଙ୍କୁ ଦେଖ ଏବଂ ଫରହାନ ଏବଂ ମୋର ୧୧ ବର୍ଷର ପୁଅକୁ ଦୋଷ ଦେବା ବନ୍ଦ କର, ଯେଉଁମାନେ ପ୍ରକୃତରେ ନିର୍ଦ୍ଦୋଷ। ଫରହାନ କ’ଣ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି? ଦୟାକରି ପ୍ରକୃତ ଖରାପ ଲୋକଙ୍କୁ ଦେଖନ୍ତୁ। ଦେଖ, ଏହି ଦୁଷ୍ଟ ମହିଳାମାନେ ମୋ ପୁଅକୁ ଗାଳି ଦେଉଛନ୍ତି ଏବଂ ତାକୁ ଉସୁକାଉଛନ୍ତି। ତାଙ୍କୁ ମାତ୍ର ୧୧ ବର୍ଷ। ଫରହାନ ପୋଲିସ ଗାଡ଼ିରେ ବସି ସାରିଥିଲା। ଏହି ଦୁଷ୍ଟ ମହିଳାମାନେ କିଏ? ଲଜ୍ଜାଜନକ। ପରବର୍ତ୍ତୀ ପୋଷ୍ଟରେ, ଅଭିନେତ୍ରୀ ଲେଖିଛନ୍ତି, ‘ଦେଖିବା କିଏ ପ୍ରକୃତରେ ତୁମକୁ କଷ୍ଟ ଦେଉଛି।’ ଦେଖ ସେ ପୋଲିସ ସହିତ କିପରି କଥା ହେଉଛି।

    ଏହା ପରେ ଆୟେଶା ଆଉ ଏକ ଭିଡିଓ ପୋଷ୍ଟ କରି କ୍ୟାପସନ ଦେଇଥିଲେ, ‘ଦେଖନ୍ତୁ ସେ ଫରହାନଙ୍କ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ଏକ ବ୍ୟାଗକୁ ନେବା ପାଇଁ ପୋଲିସ ସହିତ କିପରି ବ୍ୟବହାର କରୁଛନ୍ତି।’ ଦେଖ, ସେ କେତେ ଅସଭ୍ୟ ଏବଂ ବିପଦପୂର୍ଣ୍ଣ, ତାହା ମଧ୍ୟ ପୋଲିସମାନଙ୍କ ସହିତ। ଯଦିଓ ସେ ବ୍ୟାଗରୁ ଅସ୍ତ୍ର ବାହାର କରି ନଥିଲେ, ତଥାପି ସେ ତାଙ୍କ ଅସ୍ତ୍ର ମାଗୁଥିଲେ। ଏହା ବ୍ୟତୀତ, ଅନ୍ୟ ଏକ ପୋଷ୍ଟରେ ଆୟେଶା ଲେଖିଛନ୍ତି, ‘ସତ୍ୟ ସିଂହ ପରି, ତୁମକୁ ଏହାକୁ ରକ୍ଷା କରିବାକୁ ପଡ଼ିବ ନାହିଁ।’ ତାକୁ ମୁକ୍ତ କର, ସେ ନିଜକୁ ରକ୍ଷା କରିପାରିବ।’

  • ବିଜେଡିର ୧୦୯ ତମ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ: ବିଜେପିର ହୀନ ରାଜନୀତି ବିରୋଧରେ ବର୍ଷିଲା ବିଜେଡ଼ି

    ବିଜେଡିର ୧୦୯ ତମ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ: ବିଜେପିର ହୀନ ରାଜନୀତି ବିରୋଧରେ ବର୍ଷିଲା ବିଜେଡ଼ି

    ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ୧୦୯ ତମ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି ।

    ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ବିଜୁ ଯୁବ ପ୍ରେମୀ ଏକ ବାଇକ୍ ରାଲିରେ ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟା ସିଂହ, ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ସମସ୍ତେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ ।

    କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବିଜୁଜନତା ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଗ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମାହାଙ୍ଗା ବିଜେଡି ତରଫରୁ ବିଜୁପଟ୍ଟନାୟକ ଜନ୍ମ ଜୟନ୍ତୀ ପାଳନ କରାଯାଇଛି | ପ୍ରଥମେ ଛତିଆ -ଜୟପୁର ଭୋଳିଦାସପୁର ଛକରେ ଥିବା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବିଜୁ ବାବୁଙ୍କ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା | ପରେ ପରେ ସେଠାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମଟର ସାଇକେଲ ଶୋଭାଯାତ୍ରା ବାହାରି ମାହାଙ୍ଗା ବ୍ଲକ ସମୁଖରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

    କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ୧୦୯ ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ହୋଇଯାଇଛି | ଗରଦପୁର ବ୍ଲକ ଚଅଁପୁର ଓ ଡେରାବିଶ ବ୍ଲକ ଲଣ୍ଡା ପଡିଆରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର ବିଜୁ ପ୍ରେମୀ ଓ ବିଜେଡି କର୍ମୀଙ୍କ ସମାଗମରେ ଜୟନ୍ତୀ ପାଳିତ ହୋଇଯାଇଛି | ତେବେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦେବା ଓ ଛୁଟି ଦିବସକୁ ବାତିଲ କରିବା ଓ ମାହାଙ୍ଗାରେ ବିଜୁ ବାବୁଙ୍କ ମୂର୍ତ୍ତିରୁ ମୁଣ୍ଡ କାଟିବା ନେଇ ବିଜେପି ସରକାରକୁ ଟାର୍ଗେଟ କରି ଅରବିନ୍ଦ ବର୍ଷିଛନ୍ତି | ବିଜେପିର ହୀନ ରାଜନୀତି ବୋଲି ଅରବିନ୍ଦ କହିଛନ୍ତି |

    ବିଜୁ ପଟ୍ଟନାୟକ ଥିଲେ ନାରୀ ସଶକ୍ତିକରଣର ଆଦ୍ୟ ପ୍ରବକ୍ତା। ଓଡ଼ିଶାର ସ୍ବାଭିମାନୀ ଓ ନିର୍ଭିକ ଓଡିଆ ଜାତିର ପୁନର୍ଗଠନ ପାଇଁ ମାଆ ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ପ୍ରସ୍ତୁତ କରିଥିଲେ ନାରୀ ସଶକ୍ତିକରଣର ନକ୍ସା। ସାରା ଭାରତରେ ପ୍ରଥମ ଥର ପାଇଁ କ୍ଷମତା ବିକେନ୍ଦ୍ରୀକରଣରେ ୩୩ ଭାଗ ସଂରକ୍ଷଣ ସହିତ ଗାଁକୁ କାମ ମାକୁ ସମ୍ମାନର ନାରା ଦେଇ ତିଆରି କରିଥିଲେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ବିକାଶର ମୁଳଦୁଆ । ସଶକ୍ତ ଓଡ଼ିଶା ଗଠନର ମୂଳଦୁଆ ପାଇଁ ପାରାଦ୍ଵୀପ ରେ ତିଆରି କରାଇଥିଲେ ବନ୍ଦର । ଯାହା ଆଜି ଭାରତର ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଛି। କିନ୍ତୁ ରାଜ୍ୟ ସରକାର ହୀନମନ୍ୟତାର ଶିକାର ହୋଇ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଥିବା ପଞ୍ଚାୟତ ରାଜ ଦିବସ କୁ ବନ୍ଦ କରି ଦେଇଛନ୍ତି। କିନ୍ତୁ ଓଡ଼ିଶାର ସାଡେ ଚାରି କୋଟି ଓଡିଆଙ୍କ ହୃଦୟରୁ ବିଜୁବାବୁଙ୍କୁ କାଢ଼ିବା ପାରିବେ ନାହିଁ ରାଜ୍ୟ ସରକାର। ପାରାଦ୍ଵୀପ ନଗର ବିଜେଡି ପକ୍ଷରୁ ଅଠରବାଙ୍କି ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରକାଶ କରିଛନ୍ତି ବିଜେଡି ନେତା। ନଗର ବିଜେଡି ସଭାପତି ତଥା ପୈାରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ସମେତ ବହୁ ପରିଷଦ ଓ ବିଜେଡି କର୍ମୀ ସାମିଲ ହୋଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ଓଡ଼ିଶା ପ୍ରତି ତାଙ୍କର କର୍ତ୍ତବ୍ୟକୁ ମନେ ପକାଇଥିଲେ।

    ଯାଜପୁର ଜିଲ୍ଲା କୋରେଇ ବିଜେଡି ପକ୍ଷରୁ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ଏକ ସଭାର ଆୟୋଜନ କରିଥିଲେ | ତଳଗଡ଼ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଭାରେ ଭକ୍ତ ବତ୍ସଳ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ଭଵ ପ୍ରକାଶ ଦାସ ଯୋଗ ଦେଇ କର୍ମୀମାନଙ୍କ ଆଗରେ ବିଜୁ ବାବୁଙ୍କ ଅତୀତର ଗାରିମା ଗାଥାକୁ ବଖାଣି ଥିଲେ | ଏଥିସହିତ ବର୍ତ୍ତମାନ ସରକାରଙ୍କ ପରିବର୍ତନ ରାଜନୀତିକୁ ମଧ୍ୟ ଘୃଣା କରିଥିଲେ | ରଙ୍ଗବୋଳା ରାଜନୀତିକୁ କୋରେଇ ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା | କୋରେଇ ବ୍ଲକର ଶତାଧିକ ବିଜେଡି ପୁରୁଷ ଓ ମହିଳା କର୍ମୀ ଏଥିରେ ସାମିଲ ହୋଇଥିଲେ |

    ରାୟଗଡା ବିଜୁ ଜନତା ଦଳ ତରଫରୁ ରାୟଗଡା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶାବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି | ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକାଠି ହେଇଥିଲେ ନେତା ଓ କର୍ମୀ ମାନେ | ଏହି ସମାବେଶରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ପୌର ପରିଷଦ ଉପାଧ୍ୟକ୍ଷା ସୁଭ୍ରା ପଣ୍ଡା, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଅନୁସୟା ମାଝୀ, ୧୩ନମ୍ୱର ୱାର୍ଡ କାଉନସିଲର ପ୍ରତିମା ପାଣିଗ୍ରାହୀ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବ୍ରଜ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ବିଜୁ ବାବୁଙ୍କ ଜନ୍ମଦିନକୁ ସରକାର ଅଣଦେଖା କରିବା ସହ ବିଜୁ ବାବୁଙ୍କ କୃତିକୁ ବର୍ତ୍ତମାନ ଶାସକ ଦଳ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କଡା ନିନ୍ଦା କରିଛନ୍ତି ବିଜେଡ଼ି ନେତା | ବର୍ତ୍ତମାନ ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡିଶାର ଗୌରବ କ୍ଷୁର୍ଣ୍ଣ କରିଛନ୍ତି | ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ଅଟେ | ବିଜେପି ରାଜ୍ୟରେ ସରକାର ଗଠନ କରିବା ପର ଠାରୁ କ୍ଷମତା ବଳରେ ବିଜୁ ପଟ୍ଟନାୟକଙ୍କ କୃତିକୁ ସୁଚିନ୍ତିତ ଉପାୟରେ ମଳିନ କରିବା ପାଇଁ ଅପେଚେଷ୍ଟା କରୁଛନ୍ତି | ଆଗାମୀ ଦିନରେ ନିର୍ବାଚନ ମଇଦାନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ୍ ଦେବେ। ଏଥି ସହ ରାଜ୍ୟରେ ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ଓ କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି ଉପସ୍ଥିତ ବରିଷ୍ଠ ନେତା ଓ କର୍ମୀ ମାନେ।