କନ୍ଦାଇଲାଣି ବର୍ଷା, ଘରେ ପଶିଲାଣି ପାଣି, ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନର ଭାରି ଲଗାଣ ବର୍ଷା, ରାଜ୍ୟର ସ୍ଥିତି ବେହାଲ କରି ଦେଇଛି । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ 83 ଦଶମିକ 8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବିଭାଗ କହିଛି, ଏଠାରେ କେବଳ ଗୋଟିଏ ଦିନରେ 390 ମିଲିମିଟର ବର୍ଷା ହୋଇଛି, ସେହିପରି ରାଜ୍ୟର 4ଟି ବ୍ଲକରେ ଗତ 24 ଘଣ୍ଟା ମଧ୍ୟରେ 300 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ବ୍ଲକ୍ ଗୁଡିକ ହେଉଛି ବୌଦ୍ଧ, କରଜିଂଆ, ଜୁଜୁମୁରା, ରେଢାଖୋଲ । ବୈାଦ୍ଧରେ 390 ମିଲିମିଟର, ମୟୁରଭଂଜର କରଜିଂଆରେ 300 ମିଲିମିଟର, ସମ୍ବଲପୁରର ଜୁଜୁମୁରାରେ 361 ମିଲିମିଟର ଓ ରେଢାଖୋଲରେ 348 ମିଲିମିଟର ବର୍ଷା ହୋଇଛି ।

ସେହିପରି 17ଟି ବ୍ଲକରେ 2 ଶହ ମିଲିମିଟରରୁ ଉର୍ଦ୍ଧ ବର୍ଷା ରେକର୍ଡ ହୋଇଛି । ଏହି ବ୍ଲକ ଗୁଡିକ ହେଉଛି ଆଠମଲ୍ଲିକ, କିଶୋରନଗର, ଡୁଡୁକା, ଫିରିଙ୍ଗିଆ, ବାଲିଗୁଡା, ନୂଆଗାଁ, ଫୁଲବାଣି, ସାହାଡାପଡା, ପାଟଣା, ଠାକୁରମୁଣ୍ଡା, ଜୋଶିପୁର, ରରୁଆଁ, ସୁକୁରୁଳି, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରୁପାଲି । ସେହିପରି 67ଟି ବ୍ଲକରେ ଶହେ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି ।

ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ପଶ୍ଚିମ ବଙ୍ଗର ଗାଙ୍ଗେୟ ଅଂଚଳରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି । ଏହି ଅବପାତ ବାଙ୍ଗଲାଦେଶ ଓ ଏହାର ଉପକୂଳବର୍ତ୍ତୀ ଅଂଚଳରୁ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ 31 କିଲୋମିଟର ବେଗରେ ପଶ୍ଚିମ ବଙ୍ଗ ଆଡକୁ ଗତି କରୁଛି । ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାରଖଣ୍ଡ ଆଡେ ମୁହାଁଇବ । ଏବଂ ଧୀରେ ଧୀରେ ଦୁର୍ବଳ ହେବ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଆଡେ ହେଉଛି ବର୍ଷା । ସ୍ଥିତି ଏପରି ହେଲାଣି ଯେ ତଳିଆ ଅଂଚଳରେ ପାଣି ପଶି ଘର ଜଳବନ୍ଦୀ ହୋଇ ଗଲାଣି । ରାସ୍ତା ଉପରେ ପାଣି ଚାଲିଛି । ଅନେକ ଅଂଚଳ ବିଛିନ୍ନ ହୋଇ ଯାଇଛି । ଏସଆରସି ସ୍ଥିତି ସମୀକ୍ଷା କରିଛନ୍ତି । ଦେବଗଡରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ଭାରି ବର୍ଷାକୁ ନଜରରେ ରଖି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ଓଡ୍ରାଫ୍ ଟିମ୍ଓ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *