ଶବ ଭଳି ଉଠାଇ ନେଇ ୟୁନିଅନ ଅଫିସରେ ୫ ଘଣ୍ଟା ନିର୍ଯ୍ୟାତନା

ଦିନ ଦ୍ବିପହରରେ ପାରାଦୀପ ବନ୍ଦରର ଜଣେ କର୍ମଚାରୀଙ୍କୁ ଉଠାଇନେଇ ଶ୍ରମିକ ୟୁନିଅନ ଭିତରେ ଦେଲେ ନିର୍ଯ୍ୟାତନା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅପହର୍ତ୍ତାଙ୍କ କବଳରେ ରହିଲେ କର୍ମଚାରୀ, ତାଙ୍କ ପତ୍ନୀ ଥାନାରେ ଏତଲା ଦେଲେ, ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ‘ଶୂନ’। ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏତଲା ରେଜିଷ୍ଟ୍ରେସନ କରିନାହିଁ ପୋଲିସ। “ରାଜ୍ୟରେ ଏବେ ଆମର ବିଜେପି ସରକାର ଚାଲିଛି, ତେଣୁ କିଏ କ’ଣ କରିବ ଦେଖିବୁ”, ବୋଲି ଖୋଲାଖୋଲି ଧମକ ଦେଉଛନ୍ତି ଅପହର୍ତ୍ତା। ଜୋର ଜବରଦସ୍ତି ଦୁଇଜଣ ପିଲା ଦୁଇଟି କମ୍ପାନୀରେ କରୁଛନ୍ତି ଚାକିରି, ଯାହାକୁ ବିରୋଧ କରିବାରୁ ଜଣଙ୍କୁ ଉଠାଇ ନେଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେମାନେ ଦୁଇଜଣ ବନ୍ଦରର ଓଡ୍ରାଫ ଟିମ୍ ର ଷ୍ଟାଫ୍ ରହିବା ସହିତ ସିପଟେକ୍ ସଲ୍ୟୁସନ ପ୍ରାଇଭେଟ୍ ଲିଃ କମ୍ପାନୀ ମେରାଇନ ବିଭାଗରେ ମଧ୍ୟ ଚାକିରି କରିଛନ୍ତି।ପାରାଦ୍ଵୀପ ବନ୍ଦରର ନିୟମ ଅନୁଯାୟୀ ଗୋଟିଏ ଲୋକ ଗୋଟିଏ କମ୍ପାନୀ ଅଧିନରେ ବନ୍ଦରରେ କାର୍ଯ୍ୟ କରିପାରିବ।

ଫଳରେ ପାରାଦ୍ଵୀପ ବନ୍ଦର ଏହି ସିପଟେକ୍ କମ୍ପାନୀର ଦୁଇଜଣ ଯୁବକଙ୍କ ଗେଟ୍ ପାସ୍ କୁ ବ୍ଲାକ୍ ଲିଷ୍ଟ କରିଥିଲା। ସେମାନେ ଏହି କମ୍ପାନୀ ସହିତ ଅନ୍ୟ କମ୍ପାନୀରେ ଚାକିରୀ କରୁଥିବା ପ୍ରମାଣ ମିଳିଥିଲା। ଯାହାକୁ ନେଇ ଉକ୍ତ ଯୁବକମାନେ ବ୍ରାଞ୍ଚ୍ ମୁଖ୍ୟ କୀର୍ତ୍ତିଚନ୍ଦ୍ର ଦାସଙ୍କୁ ଅପହରଣ କରି ଏକ ୟୁନିୟନ ଘରେ ନିର୍ଯ୍ୟାତନା ଦେଇଥିବା ଥାନାରେ ଅଭିଯୋଗ କରିଥିଲେ କୀର୍ତ୍ତି ଙ୍କ ସ୍ତ୍ରୀ ।

ମାତ୍ର ପୋଲିସ ଏପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରୁନଥିବା କହିଛନ୍ତି କୀର୍ତ୍ତିଙ୍କ ସ୍ତ୍ରୀ। ଯଦି ତୁରନ୍ତ ଉକ୍ତ ଅସାମାଜିକ ଯୁବକଙ୍କୁ ଗିରଫ କରାନଯାଏ ତେବେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ସପରିବାର ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି।

ତେବେ, ଦେଖିବାକୁ ବାକିରହିଲା, ପାରାଦୀପ ବନ୍ଦରର ନିୟମ ବିରୁଦ୍ଧରେ ଏବଂ ଅପହରଣ ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଏହି ଯୁବକମାନଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *