ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *