
ରାଜ୍ୟରେ ତାତି ଥମିବାର ନାଁ ନେଉନି । ପଶ୍ଚିମ ଓଡ଼ିଶା ସମେତ ସମଗ୍ର ଓଡ଼ିଶା ଏବେ ଜଳୁଛି । ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଭଳି ସ୍ଥାନରେ ତାପମାତ୍ର ୪୫ ଡିଗ୍ରି ଟପିଲାଣି । ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବଢୁଥିବା ବେଳେ ଆହୁରି ୪ ଦିନ ଏପରି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରଜ ପର୍ବ ସରିଥିବା ବେଳେ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ କରିଛି । ହେଲେ ଚଳିତବର୍ଷ ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇଛି ।

ରାଜ୍ୟସାରା ତାତି ଯୋଗୁ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ରାତିର ତାପମାତ୍ରା ମଧ୍ୟ ଅସହ୍ୟ ହୋଇପଡ଼ିଛି । ତାତି ଏବେ କମିବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୯ ତାରିଖ ଯାଏ ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ ବୋଲି ବିଭାଗ କହିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବ । ଦିନରେ ତାପମାତ୍ରା ଅଧିକ ରହୁଥିବା ବେଳେ ରାତିରେ ମଧ୍ୟ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟରେ ୨୩ ତାରିଖ ପୂର୍ବରୁ ମୌସୁମୀ ଛୁଇଁବା ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜି ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରିରହିବ । ଆସନ୍ତାକାଲି ତାତି କିଛି ମାତ୍ରାରେ କମିବ ଓ ୧୯ ତାରିଖ ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ତଳକୁ ଖସି ଆସିବ ବୋଲି ପାଣିପାଗ ବିଭାଗ କହିଛି ।
