ଭୁବନେଶ୍ୱର, ୧୩ ନଭେମ୍ବର ୨୦୨୬: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ପୁଣି ମହଙ୍ଗା ହେଲା ବସ୍ ଯାତ୍ରା। ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା। ବିଭିନ୍ନ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଗୁରୁବାର ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନୂଆ ଭଡ଼ା ତାଲିକା ଜାରି କରାଯାଇଛି। ନୂଆ ଭଡ଼ା ଲାଗୁ ହେଲେ ସାଧାରଣ ଯାତ୍ରୀଙ୍କୁ ଏଣିକି ବସ୍ ଯାତ୍ରା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ।
ନୂଆ ଭଡ଼ା ତାଲିକା ଅନୁସାରେ, ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବଢ଼ି ୧ ଟଙ୍କା ୧୮ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ରେ ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି। ସେମି ଡିଲକ୍ସ ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ ହୋଇଥିବା ବେଳେ ଡିଲକ୍ସ ବସ୍ରେ ୧ ଟଙ୍କା ୪୧ ପଇସା ଦେବାକୁ ପଡ଼ିବ।
ଅନ୍ୟପଟେ ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ବଢ଼ି ୧ ଟଙ୍କା ୯୯ ପଇସା ହୋଇଛି। ସୁପର ପ୍ରିମିୟମ୍ ବସ୍ ପାଇଁ କିଲୋମିଟର ପିଛା ୩ ଟଙ୍କା ୨୧ ପଇସା ଏବଂ ସମ୍ପୂର୍ଣ୍ଣ ଏସି ସ୍ଲିପର୍ କୋଚ୍ରେ ବର୍ଥ ପିଛା କିଲୋମିଟରକୁ ୪ ଟଙ୍କା ୬୧ ପଇସା ଧାର୍ଯ୍ୟ କରାଯାଇଛି।
ତେବେ ଏହି ଭଡ଼ା ବୃଦ୍ଧିରୁ ଟାଉନ୍ ବସ୍ ସେବାକୁ ବାଦ୍ ଦିଆଯାଇଛି। ଓଡ଼ିଶା ଗେଜେଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ନୂଆ ଭଡ଼ା ଲାଗୁ ହେବ।
ଡିଜେଲ୍ ଦର ବୃଦ୍ଧି ସହ ବସ୍ର ଟାୟାର୍, ଇଞ୍ଜିନ୍ ଅଏଲ୍, ଚେସିସ୍ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ବିଚାରକୁ ନେଇ ଭଡ଼ା ସଂଶୋଧନ କରାଯାଇଥିବା କୁହାଯାଇଛି।
ଏହି ନିଷ୍ପତ୍ତି ପରେ ବିଶେଷକରି ଦୈନିକ ବସ୍ରେ ଯାତାୟାତ କରୁଥିବା କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଯାତ୍ରୀଙ୍କ ମାସିକ ଯାତାୟାତ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି।
ନୂଆ ବସ୍ ଭଡ଼ା ତାଲିକା
| ବସ୍ ବର୍ଗ | କିଲୋମିଟର ପିଛା ଭଡ଼ା |
|---|---|
| ଅର୍ଡିନାରୀ | ₹୧.୧୮ |
| ଏକ୍ସପ୍ରେସ୍ | ₹୧.୨୪ |
| ସେମି ଡିଲକ୍ସ | ₹୧.୩୦ |
| ଡିଲକ୍ସ | ₹୧.୪୧ |
| ଏସି ଡିଲକ୍ସ | ₹୧.୯୯ |
| ସୁପର ପ୍ରିମିୟମ୍ | ₹୩.୨୧ |
| ଫୁଲ୍ ଏସି ସ୍ଲିପର୍ | ₹୪.୬୧ |