ଦୀପାବଳି ପରେ ବିଗିଡ଼ିଲା ଓଡ଼ିଶାର ବାୟୁର ମାନ। ବିଷାକ୍ତ ଧୂଆଁରେ ଆଚ୍ଛାଦିତ ହୋଇଛି ରାଜଧାନୀ ଭୁବନେଶ୍ୱର। ଦୀପାବଳି ରାତିରେ ମନଇଚ୍ଛା ବାଣ ଫୁଟାଇବା ଯୋଗୁଁ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନେକ ପ୍ରମୁଖ ସହରରେ ମଧ୍ୟ ବାୟୁର ଗୁଣବତ୍ତା ହ୍ରାସ ପାଇଛି। ଫଳରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଛି ଚିନ୍ତା।
ନଭେମ୍ବର ୮ ତାରିଖ ଦୀପାବଳି ରାତିରେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୫୦୦ ଅତିକ୍ରମ କରିଥିଲା। ଏପରିକି ଘରୋଇ ବାୟୁ ଗୁଣବତ୍ତା ନିରୀକ୍ଷଣ ପ୍ଲାଟଫର୍ମ AQI.inର ତଥ୍ୟ ଅନୁସାରେ ରାତି ୯ଟାରେ ଏହା ୧୦୯୧ରେ ପହଞ୍ଚିଥିଲା। ତେବେ ଏହି ତଥ୍ୟ ଭାରତର ସରକାରୀ AQI ମାପକଠାରୁ ଭିନ୍ନ ପ୍ଲାଟଫର୍ମରୁ ଆସିଛି।
ଦୀପାବଳି ପରଦିନ ମଧ୍ୟ ରାଜଧାନୀର ଅନେକ ଅଞ୍ଚଳରେ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ମନିଟରିଂ ଷ୍ଟେସନରେ AQI ୨୪୨ ରେକର୍ଡ କରାଯାଇଥିଲା। ସେହିପରି କେନ୍ଦୁଝରର ବିଲେଇପଦାରେ ୨୮୮, ତାଳଚେରରେ ୨୬୬ ଏବଂ ଭୁବନେଶ୍ୱରରେ ୨୦୭ AQI ରେକର୍ଡ ହୋଇଥିବା ରିପୋର୍ଟ ମିଳିଛି।
ବିଶେଷଜ୍ଞଙ୍କ ମତରେ ବାଣରୁ ବାହାରୁଥିବା ବିଷାକ୍ତ ଧୂଆଁ ଓ ସୂକ୍ଷ୍ମ ଧୂଳିକଣା ଶ୍ୱାସକ୍ରିୟା ପାଇଁ ଅତ୍ୟନ୍ତ କ୍ଷତିକାରକ। ବିଶେଷକରି ଶିଶୁ, ବୟସ୍କ, ଆଜ୍ମା ଓ ହୃଦ୍ରୋଗୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ। ଆଖି ଜଳିବା, କାଶ, ଗଳାରେ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ଦେଖାଦେଇପାରେ।
ଅନ୍ୟପଟେ ବାଣ ଫୁଟାଇବା ଉପରେ କଟକଣା ଓ ସଚେତନତା ସତ୍ତ୍ୱେ ପ୍ରଦୂଷଣ ବୃଦ୍ଧି ପାଇବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେବେ ପ୍ରଶ୍ନ ଉଠୁଛି, ଦୀପାବଳିର ଉତ୍ସବ ପାଳନ ନାଁରେ ଆମେ କ’ଣ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛୁ?