ନବଜାତ ଶିଶୁର ମୃତଦେହ କୁକୁର କାମୁଡି ଖାଉଥିବା ବେଳେ ଉଦ୍ଧାର

ନବଜାତକକୁ ଝୁଣି ଖାଇଲେ କୁକୁର। ଖଣ୍ଡିଆ ଖାବରା ଅବସ୍ଥାରେ ଶିଶୁର ମୃତଦେହ ଉଦ୍ଧାର। ଏମିତି ଏକ ସ୍ପର୍ଶକାତର ଓ ହୃଦୟ ବିଦାରକ ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅଧୀନରେ। ଲୋକେ ଶିଶୁଟିର ମୃତଦେହ କୁକୁର ମୁହଁରୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ରବିବାର ସକାଳୁ ସକାଳୁ ଇଚିଣ୍ଡା ଗ୍ରାମରେ ଥିବା ଗିରିଶ କବାଡି ଦୋକାନ ନିକଟରେ ଥିବା ବିଲ ଭିତରେ ଏକ ନବଜାତ ଶିଶୁର ମୃତଦେହକୁ ୩ଟି କୁକୁର  ଝୁଣି ଖାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତୁରନ୍ତ କୁକୁର ସବୁଙ୍କୁ ସେଠାରୁ ଘଉଡାଇ ଖଣ୍ଡିଆ ଖାବରା ମୃତଦେହ ଉଦ୍ଧାର କରିଥିଲେ ଓ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲେ। ସେପଟେ ଏକ ନବଜାତକର ମୃତଦେହ କୁକୁର ଖାଉଥିବା ଖବର ପ୍ରଘଟ ହେବାରୁ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ପୋଲିସ ସେଠାରେ ପହଞ୍ଚି  ମୃତଦେହ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଆରମ୍ଭ କରିଛି ତଦନ୍ତ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନେକ ଛୁଆଟିଏ ନ ପାଇ ଡହଳ ବିକଳ ହେଉଛନ୍ତି। କିନ୍ତୁ ଭଗବାନ ଛୁଆଟିଏ ଦେଇଥିବା ବେଳେ କେମିତି ଜଣେ ନିଜ ଜନ୍ମିତ ସନ୍ତାନକୁ ଏଭଳି ପକାଇପାରୁଛି? ଛୁଆଟି କେଉଁଠୁ ଆସିଲା, କିଏ ଆଣିଥିଲା, ଶିଶୁଟିର ମାତାପିତା କିଏ? ନା ଶିଶୁଟି କୌଣସି ଅବଞ୍ଛିତ ସନ୍ତାନ ଥିଲା, ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।  ପୋଲିସ ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *