ବାହାନଗା ହାଇସ୍କୁଲ ବନିବ ନଂ-1, ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନବୀନଙ୍କ ନିର୍ଦ୍ଦେଶ

ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲର ରୂପରେଖ ବଦଳିବ । ନୂଆ ରୂପରେ ପୁନଃନିର୍ମିତ ହେବ ଏହି ସ୍କୁଲ । ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଏବଂ ଏଲିମଣ୍ଟୋରି ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣି ଥରେ ଏହାକୁ ନିର୍ମାଣ କରାଯିବ । ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୨ ତାରିଖରେ ବାହାନଗା ଷ୍ଟେସନ ଠାରେ ଭୟାବହ ରେଳ ଦୁର୍ଘଟଣା ଘଟିଥିଲା । ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାହାନଗା ହାଇସ୍କୁଲରେ ଶବ ରଖାଯାଇ ପରବର୍ତ୍ତୀ ସମୟରେ ସ୍କୁଲ ବିଶୋଧନ କରାଯାଇଥିଲା । ସ୍କୁଲରେ ଶବ ଥିବାରୁ ଛାତ୍ରଛାତ୍ରୀ,ଶିକ୍ଷକ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଭୟ ରହିଛି । ତେଣୁ ସ୍କୁଲ କୋଠା ଭାଙ୍ଗି ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା । ଶେଷରେ ନୂଆ ସ୍କୁଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିବା ପରେ 5T ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସ୍କୁଲ ଗଣଶିକ୍ଷା ସଚିବ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ,ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ,ପଞ୍ଚାୟତ ପ୍ରତିନିଧି,ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ନୂଆ ସ୍କୁଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।

ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ଥିତି, ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମଣ୍ଟୋରୀ ସ୍କୁଲ ଭାଙ୍ଗି ଏକ ଏହାର ପୁନଃନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ବାହାନଗା ହାଇସ୍କୁଲ ରାଜ୍ୟର ନମ୍ବର ୱାନ୍ ସ୍କୁଲ ବନିବ ବୋଲି କହିଛନ୍ତି ଅଧିକାରୀ ।

Leave a Reply

Your email address will not be published. Required fields are marked *