ନାଇରୋବି: ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍, ୪୮ ମୃତ

ପଶ୍ଚିମ କେନିଆ ଲୋଣ୍ଡିଆନିରେ ବଡ଼ ଧରଣର ଟ୍ରକ୍ ଦୁର୍ଘଟଣା ଘଟିଛି । ଗୋଟାଏ ଟ୍ରକ୍‌ ହଠାତ୍‌ ଡ୍ରାଇଭରଙ୍କ ନିୟନ୍ତ୍ରଣରୁ ବାହାରିଯାଇ ଯାନବାହନ ଓ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ କମାଣ୍ଡର ଜେଫରୀ ମୟେକଙ୍କ ସୂଚନା ଅନୁସାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ଆଉ କିଛି ଲୋକଙ୍କ ମୃତ୍ୟୁ ହେବା ଆଶଙ୍କା ରହିଛି । କେରିକୋ ଏବଂ ନାକୁରୁ ନଗରୀକୁ ସଂଯୋଗ କରୁଥିବା ରାଜପଥରେ ସିପିଙ୍ଗ୍‌ କଣ୍ଟେନର୍‌ ନେଇ ଯାଉଥିବା ଟ୍ରକ୍‌, ଏକ ଜଙ୍କ୍‌ସନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣାସ୍ଥଳ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର ଅଭିଯାନରେ ବିଳମ୍ବ ହୋଇଥିଲା । ସେପଟେ ଟମ୍‌ ଓଡେରା ନାମରେ ଆଉ ଜଣେ ପୋଲିସ କମାଣ୍ଡର୍‌ କହିଛନ୍ତି ଯେ, କେରିକୋ ଆଡ଼କୁ ଚଳାଇ ନିଆଯାଉଥିବା ଟ୍ରକ୍‌ ନିୟନ୍ତ୍ରଣ ହରାଇବା ପରେ ବସ୍‌ଷ୍ଟପ୍‌ରେ କେତେଗୁଡ଼ିଏ ମିନି ବସ୍ ଉପରେ ଚଢ଼ିଯାଇଥିଲା । ଫଳରେ ବସ୍ ଯାତ୍ରୀ ଏବଂ ଛିଡ଼ା ହୋଇଥିବା ପଥଚାରୀମାନେ ମୃତାହତ ହୋଇଥିଲେ ।

ଭାରସାମ୍ୟ ହରାଇ ଟ୍ରକଟି ବଜାରରେ ମାଡ଼ିଯିବାରୁ ପ୍ରାୟ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ଏକାଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ବହୁ କାର୍ ଓ ବାଇକ୍ ଭାଙ୍ଗିଯାଇଛି ।

Leave a Reply

Your email address will not be published. Required fields are marked *