ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

ଶେଷରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଟିମ୍ । ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ୫ କୋଟିରୁ ଅଧିକ ପରିମାଣର ସମ୍ପତ୍ତି ଠାବ ହୋଇଛି । ନିଜ ଆୟର ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଏ ନେଇ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି ।

ଗତକାଲି ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ରେଡ୍ ହୋଇଥିଲା । ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରିଥିଲା ଭିଜାଲାନ୍ସ । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ୨ ଲକ୍ଷ ଜବତ କରିଥିଲା ଟିମ୍ । ଭୁବନେଶ୍ବର, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସ ଭଳି ସ୍ଥାନରୁ ଏସବୁ ଟଙ୍କା ଜବତ କରାଯାଇଛି ।

ପ୍ରଶାନ୍ତ କୁମାର ମୋଟ ୯୨ ଲକ୍ଷ ୩୪ ହଜାର ଟଙ୍କା ଡିପୋଜିଟ୍ କରିଛନ୍ତି । ବ୍ୟାଙ୍କରେ ୩୮ ଲକ୍ଷ ଥିବାବେଳେ ବେନାମୀ ଆକାଉଣ୍ଟରେ ବାକି ଟଙ୍କା ଡିପୋଜିଟ୍ ରହିଥିବା କହିଛି ଭିଜିଲାନ୍ସ ବିଭାଗ ।

ସେହିପରି ପିଲାଙ୍କ ପାଠ ପଢ଼ାରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଶାନ୍ତ । ତାଙ୍କର ୫ଟି ପ୍ଲଟ୍ ଥିବା କହିଛି ଭିଜିଲାନ୍ସ ଟିମ୍ ।

ବେଆଇନ୍ କାରବାର ପାଇଁ ଜଙ୍ଗଲ ମାଫିଆ, ଉନ୍ନୟନ କାମ ବାବଦରେ ବାଲିମାଫିଆ,ଖଣି ମାଫିଆ ଏବଂ ଠିକାଦାରମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ବେଆଇନ୍ ଭାବେ ଲାଞ୍ଚ ନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । କୋଟି କୋଟି ଟଙ୍କା ଆୟ କରିବା ପରେ ଶେଷରେ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉରେ ୯ଟି ଟିମ୍ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *