ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

ଆମେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଶେଷରେ ଆମ ନିଷ୍ପତ୍ତି  ଆମକୁ ଗଢିଥାଏ। ଯିଏ ବ୍ୟକ୍ତିଗତ ସ୍ୱାର୍ଥ, ଭାବାବେଗ, ଭୟକୁ ପଛରେ ପକାଇ ସାମୂହିକ ସ୍ୱାର୍ଥ ଦିଗରେ ନିଷ୍ପତ୍ତି ନେଇଥାନ୍ତି ସେହି ନିଷ୍ପତ୍ତି ତାଙ୍କୁ ଚିରସ୍ମରଣୀୟ କରି ଗଢିତୋଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ କାଳରେ ମଙ୍ଗଳବାର ଦିନ ଓଡିଆ ସମୁଦାୟକୁ ସମ୍ୱୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିବାକୁ ଯାଇ ଏହା କହିଥିଲେ ପାଣ୍ଡିଆନ।

ଭିକେ ପାଣ୍ଡିଆନ କହିଥିଲେ, ପୁରୀ ସ୍ୱର୍ଗଦ୍ୱାର ସହ ରାଜ୍ୟବାସୀଙ୍କର ଧର୍ମୀୟ ବିଶ୍ୱାସ ଜଡିତ ରହିଛି। ଓଡିଆଙ୍କ ବିଶ୍ୱାସ  କି, ଏହି ସ୍ଥାନରେ ଆତ୍ମୀୟ  ପରିଜନଙ୍କ ଅନ୍ତିମ ସଂସ୍କାର କରାଗଲେ ସେମାନଙ୍କୁ ମୋକ୍ଷ ମିଳିଥାଏ। ତେଣୁ ବହୁ ଲୋକ ସେମାନଙ୍କ ଆତ୍ମୀୟଙ୍କ ଶେଷକୃତ ପାଇଁ ସ୍ୱର୍ଗଦ୍ୱାରକୁ ଯାଇଥାନ୍ତି। କିନ୍ତୁ ସେଠାରେ ଜାଗାର ଅଭାବ ହେଉଥିଲା। ଏହାକୁ ଦେଖି ସ୍ୱର୍ଗଦ୍ୱାର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦେଖାଇଥିଲି ସେ ତତ୍କ୍ଷଣାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଶୁଣି ନିଜ କାନକୁ ବିଶ୍ୱାସ କରି ପାରିନଥିଲେ ବ୍ୟକ୍ତିଗତ ସଚିବ। କାରଣ ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଯାଇଥାନ୍ତି। ସେଠାରେ କିଛି କ୍ଷଣ ବିତାଇବାକୁ ଭଲପାଇଥାନ୍ତି। ଅଥଚ ବାପାଙ୍କ ସମାଧି ଭାଙ୍ଗିବା ପରି ଏକ କଠୋର ନିଷ୍ପତ୍ତି ନେବାକୁ କିପରି କ୍ଷଣଟିଏ ସମୟ ନେଇ ନ ଥିଲେ ମୁଖ୍ୟମନ୍ତ୍ରୀ ?

ପରେ ପାଣ୍ଡିଆନ ବୁଝିଥିଲେ କି, ଯେଉଁ ରାଜ୍ୟବାସୀ ବିଜୁ ବାବୁଙ୍କୁ ଏତେ ଭଲ ପାଉଥିଲେ ସେମାନଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବାରେ କରିନଥିଲେ କାଳ ବିଳମ୍ବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍ବୋପରେ ଥିଲା ଓଡିଶା ଓ ଓଡିଆଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ।  ସେଥିପାଇଁ ସେହି ଡେଙ୍ଗା ମଣିଷଙ୍କ ସମାଧି ଶ୍ମଶାନର ଗୋଟିଏ କୋଣକୁ ଅବରୋଧ କରି ରଖିଥିବାରୁ ତାକୁ ଭାଙ୍ଗି, ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ସ୍ୱର୍ଗଦ୍ୱାର ସମର୍ପିତ କରିଥିଲେ ନବୀନ। ତାଙ୍କ ଚିନ୍ତାଧାରାରେ, ବାଲି, ସିମେଟ ଓ ପଥରରେ ନିର୍ମିତ ସମାଧିରେ ବିଜୁ ପଟ୍ଟନାୟକ ବାସ ନୁହେଁ. ବରଂ ରାଜ୍ୟବାସୀଙ୍କ ହୃଦୟରେ।

ଏଥିସହ ସମାଧିକୁ ଭୋରୁ ଭୋରୁ ଭାଙ୍ଗିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଜାଣିଥିଲେ, ବିଜୁ ବାବୁଙ୍କ ସମାଧି ସହ ରାଜ୍ୟବାସୀଙ୍କ ଭାବାବେଗ ଜଡିତ ରହିଛି। ସାଧାରଣ ଜନତା ସମାଧି ଭାଙ୍ଗିବାକୁ ଦେବେ ନାହିଁ। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତେଣୁ ନିର୍ଦ୍ଦେଶ ମୁତାବକ ତାହା ହିଁ କରାଯାଇଥିଲା। ରାତି ନ ପାହୁଣୁ ସେଠାରୁ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ଏବେ ସେଠାରେ କେବଳ ଏକ ପ୍ରସ୍ତର ଫଳକ ରହିଛି। ଏହା ଓଡିଶା ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ପରିଯୋଜନା ଥିଲା  ବୋଲି ପାଣ୍ଡିଆନ କହିଥିଲେ। ଏଠାରେ କହିରଖୁଛୁ କି, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ନିଧନ ପରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷଙ୍କ ସମାଧି ନିର୍ମାଣ ହୋଇଥିଲା।

ସ୍ୱର୍ଗଦ୍ୱାର ପୁରୀର ଦକ୍ଷିଣ ପଶ୍ଚିମକୁ ବଙ୍ଗୋପସାଗର କୂଳରେ କାହିଁ କେଉଁ କାଳରୁ ରହି ଅସିଛି। ବର୍ତ୍ତମାନ ଏହା ଏକ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଥିବା ବେଳେ ଏହାର ଆଖପାଖର ପ୍ରାୟ ୧୫ ଏକର ଜମି ରହିଛି। ଏହା ହେଉଛି ଓଡିଆଙ୍କ ମୋକ୍ଷର ବାଟ ବୋଲି ବିଶ୍ୱାସ ରହିଛି। ଏହି ସ୍ଥାନକୁ ମା’ କାଳୀ ଜଗୁଥିବା କୁହାଯାଏ।

Leave a Reply

Your email address will not be published. Required fields are marked *