ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

ବାପାର ଫଟୋକୁ ଧରି କାନ୍ଦୁଛି କୁନି ଝିଅ । କଁଅଳ ଆଖିରେ ଲୁହ ଧାର ଧାର। ଆଜକୁ ସାତ ଦିନ ହେବ ଘରେ ଚୁଲି ଜଳୁନି କି, ବନ୍ଧୁ ବାନ୍ଧବଙ୍କ ଭିଡ଼ ବି କମୁନି । ଘରର ରୋଜଗାରିଆ ପୁଅକୁ ହରେଇ ମାଆ ଆଖିରେ ବି ଲୁହ ଶୁଖୁନି । ମାତ୍ର ୨୫ବର୍ଷ ବୟସରେ ବିଧବା ସାଜିଥିବା ପତ୍ନୀ ଏବେ ଦୁଇ କନ୍ୟା ସନ୍ତାନଙ୍କୁ ଧରି ସତେଯେମିତି ବୋକା ପାଲଟି ଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ହରିପୁର ଗ୍ରାମରେ ।

ସୂଚନାଅନୁସାରେ, ସ୍ୱପ୍ନା ବିଶ୍ୱାସ ଓ ବିଶୁ ବିଶ୍ୱାସ ଉଭୟ ପତି ପତ୍ନି । ସ୍ୱାମୀ ବିଶୁ ବିଶ୍ଵାସ ସମୁଦ୍ରରେ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଚଳିତ ମାସ ୩ ତାରିଖ ଦିନ ସନ୍ଧ୍ୟାରେ ୫ ହଜାର ଟଙ୍କା ନେଇ ଘରୁ ବାହାରି ଥିଲେ ବିଶୁ । ଲକ୍ଷ୍ୟ ଥିଲା ଆବଶକୀୟ ସରଞ୍ଜାମ କିଣି ବୋଟ ନେଇ ସମୁଦ୍ରକୁ ମାଛ ଧରିବାକୁ ଯିବେ । ହେଲେ ଚାନ୍ଦବାଲି ସହରରେ ପହଞ୍ଚିବା ପରେ ବିଶୁଙ୍କର କିଛି ସାଙ୍ଗ ତାଙ୍କ ଠାରୁ ୨୦୦୦ ଟଙ୍କା ଲୁଟି ନେଇଥିଲେ । ରାତି ପ୍ରାୟ ୧୧.୩୦ ସମୟରେ କେହି ଦୁର୍ବୃତ୍ତ ତଣ୍ଟି ଚିପି ତାଙ୍କ ଦାଣ୍ଡ ଦୁଆରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ବାହାରେ କିଛି ଶବ୍ଦ ହେଉଥିବା ଶୁଣି ପତ୍ନୀ କବାଟ ଖୋଲି ଦେଖିଥିଲେ ତାଙ୍କ ସ୍ୱାମୀ ତଳେ ପଡି ଛଟପଟ ହେଉଛନ୍ତି । କଥା କହି ପାରୁ ନାହାଁନ୍ତି । ସଙ୍ଗେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶୁଙ୍କୁ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ଯୁ ହୋଇଥିଲା । ବିଶୁଙ୍କ ଶବ ସତ୍କାର କରିବା ପରେ ଚାନ୍ଦବାଲି ଥାନାରେ ପତ୍ନୀ ସ୍ୱପ୍ନା ସ୍ୱାମୀଙ୍କ ବନ୍ଧୁ ଧନ ଓ ତାଙ୍କ ସହ ମିଶୁଥିବା ଅନ୍ୟ ସାଙ୍ଗ ମାନଙ୍କୁ ସେ ସନ୍ଦେହ କରୁଥିବା ଅଭିଯୋଗ କରିଥିଲେ ।

ଯେହେତୁ ସ୍ୱାମୀଙ୍କ ଗଳାରେ ଦାଗ ରହିଛି ,ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି । ବିଶୁଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଧନ ଚାନ୍ଦବାଲି ଛାଡି ଫେରାର ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଭଦ୍ରକ ସହରରୁ ବିଶୁର ସାଙ୍ଗ ଧନକୁ ଧରି ପୋଲିସର ଜିମା ଦେଇଥିଲେ ବିଶୁ ର ପରିବାର ଲୋକେ । ହେଲେ ପୋଲିସ ତାଙ୍କୁ ଗିରଫ ନକରି ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏଠାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

ତଣ୍ଟିର ଦୁଇଟି ଦାଗ ,ତଣ୍ଟି ଚିପି ମରିଦେବାର ଉଦ୍ୟମ କରିବାର ସ୍ପଷ୍ଟ ଚିତ୍ର ଥିବା ବେଳେ ଅଭିଯୁକ୍ତକୁ କାହିକିଁ ଧରୁନି ପୋଲିସ? କାହା ଚାପରେ ଚାପି ହେଉଛି ପୋଲିସ ? ଏପଟେ ଚାନ୍ଦବାଲି ଥାନାରେ ଭାରପ୍ରାପ୍ତ ଥାନାଧିକାରୀକୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ପୋଷ୍ଟବଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି । ତେବେ ବିଶୁ ହତ୍ୟାକାରୀକୁ କେବେ ଧରିଛି ପୋଲିସ ଏବଂ କେବେ ମିଳିବ କୁନି ଛୁଆଙ୍କୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।