
ଶେଷରେ ଧରାପଡିଲା ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ କର୍ମଚାରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦ । ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିବା ଶରିଫୁଲ ସନ୍ଦେହ ଏଡ଼ାଇବା ପାଇଁ ନିଜର ନାମ ବିଜୟ ଦାସ ରଖିଥିଲା ।
ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ପରେ, ମୁମ୍ବାଇ ପୋଲିସ ଯେତେବେଳେ ୩୦ ଟି ଟିମ ଗଠିତ କରି ଅପରାଧୀକୁ ଖୋଜୁଥିଲା, ସେତେବେଳେ ଅଭିଯୁକ୍ତ ଶରିଫୁଲ ଓରଫ ବିଜୟ ଥାନେର ଏକ ନିକାଂଚନ ସ୍ଥାନରେ ଥିବା ଶ୍ରମିକ ଶିବିର ନିକଟରେ ଥିବା ବୁଦା ଭିତରେ ଲୁଚି ରହିଥିଲା ।

ଆକ୍ରମଣ ଘଟଣା ପରେ ସତଗୁରୁ ଶରଣ ଆପାର୍ଟମେଣ୍ଟରୁ ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ଶରିଫୁଲର ଚେହେରା ସହ ମେଳ ଖାଉଥିବା ଓ ସନ୍ଦେହଜନକ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ମୁମ୍ବାଇ ପୋଲିସ ସହରର ବିଭିନ୍ନ ସ୍ଥାନର କିଛି ଘଣ୍ଟାର ସିସିଟିଭି ଫୁଟେଜକୁ ସ୍କାନ କରିଥିଲା । ଏହି ସମୟରେ, ଅନ୍ଧେରୀର ଡି.ଏନ. ନଗରରେ ଏକ ସିସି ଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ଏକ ଫୁଟେଜ ମିଳିଥିଲା । ଫୁଟେଜରେ, ଶରିଫୁଲର ଚେହେରା ସହିତ ମିଶୁଥିବା ଜଣେ ସନ୍ଦେହଜନକ ବ୍ୟକ୍ତିଙ୍କୁ ବାଇକ୍ ରୁ ଓହ୍ଲାଇବାର ଦେଖାଯାଇଥିଲା ଏବଂ ବାଇକ୍ ର ନମ୍ବର ବ୍ୟବହାର ଗାଡ଼ିକୁ ଟ୍ରାକ୍ କରିଥିଲା ପୋଲିସ ।

ସ୍ଥାନୀୟ ଲୋକଙ୍କଠାରୁ ନିର୍ଦ୍ଧିଷ୍ଟ ସୂଚନା ସଂଗ୍ରହ କରିବାପରେ, ପୋଲିସ ୱାର୍ଲିର କୋଲିୱାଡାରେ ଏକ ଭଡା ଘର ଉପରେ ଚଢାଉ କରିଥିଲା, ଯେଉଁଠାରେ ଅଭିଯୁକ୍ତ ଅନ୍ୟ ତିନି ଜଣଙ୍କ ସହିତ ରହୁଥିଲା। ଏକ ପୋଲିସ ଟିମ ଏହି ବାସସ୍ଥାନକୁ ଯାଇ ସେଠାରେ ରହୁଥିବା ଲୋକଙ୍କୁ ପଚରାଉଚରା କରିଥିଲା। ପୋଲିସ ଟିମ ଶରିଫୁଲର ନାମ ଏବଂ ଫୋନ୍ ନମ୍ବର ପାଇବାରେ ସଫଳ ହୋଇଥିଲେ ଏବଂ ଏହି ସୂଚନା ଅଭିଯୁକ୍ତର ଲୋକେସନ୍ ଟ୍ରାକ୍ କରିବାରେ ସାହାଯ୍ୟ କରିଥିଲା । ଶରିଫୁଲ ଥାନେର ଏକ ନିର୍ଜନ ରାସ୍ତାରେ ଏକ ବୁଦା ଭୀତରେ ଲୁଚି ରହିଥିବାର ପୋଲିସ ଜାଣିପାରିଥିଲା । ପୋଲିସ ପ୍ରଥମେ ତାକୁ ଚାରିପାଖରୁ ଘେରିଯାଇ ହେପାଜତକୁ ନେଇଥିଲା।

ପୋଲିସ କହିବା ଅନୁସାରେ, ଶରିଫୁଲଠାରୁ କୌଣସି ଭାରତୀୟ କାଗଜପତ୍ର ମିଳିନାହିଁ; କିନ୍ତୁ ସେ ଜଣେ ବାଂଲାଦେଶୀ ନାଗରିକ ଯିଏ ବେଆଇନ ଭାବରେ ଭାରତ ଭିତରକୁ ଆସିଥିଲା ବୋଲି ପ୍ରମାଣ ମିଳିଛି ।

ପଚରାଉଚରା ସମୟରେ ଶରିଫୁଲ ପୋଲିସକୁ କହିଥିଲା ଯେ ଘଟଣା ପରେ ଟିଭି ପରଦାରେ ନିଜର ଭିଡ଼ିଓ ଓ ଫଟୋ ଦେଖିଥିଲା ଏବଂ ଥାନେ ପଳାଇ ଯାଇଥିଲା। ସେ ନିଜର ଫୋନ୍ ବନ୍ଦ କରି ଥାନେର ଏକ ଶ୍ରମିକ ଶିବିର ନିକଟରେ ଲୁଚି ରହିଥିଲା । କିନ୍ତୁ ପୋଲିସ ତାଙ୍କ ଫୋନ୍ର ଶେଷ ସ୍ଥାନ ଟ୍ରାକ୍ କରି ଥାନେରେ ପହଞ୍ଚିଥିଲା।