ମସ୍କୋ: ବେଲାରୁଷର ଏଣ୍ଟ୍ରି,’ୱାଗନର’ର ୟୁ-ଟର୍ଣ୍ଣ, ଅଳ୍ପକେ ବର୍ତ୍ତିଲା ଋଷ

ଋଷରେ ଗୃହଯୁଦ୍ଧ ପରିସ୍ଥିତି । କେତେବେଳେ ଦେଶ ଭିତରେ କ’ଣ ଘଟିବ କହିହେବନି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଜୋରଦାର ବିରୋଧ ହେଉଛି । ଋଷରେ ରହୁଥିବା ଲୋକ, ଦେଶର ଖାଉଥିବା ଲୋକ ଏବେ ଋଷକୁ ହିଁ ନଷ୍ଟ କରିବାକୁ ବସିଛନ୍ତି । ପୁଟିନ ବିରୋଧରେ ଦଳେ ଥିବାବେଳେ ଅନ୍ୟ ଗୋଷ୍ଠୀ ସମର୍ଥନରେ ବାହାରିଛନ୍ତି । ମାନେ ପ୍ରାଇଭେଟ୍ ଆର୍ମି ‘ୱାଗନର’, ରାଷ୍ଟ୍ରପତି ପୁଟିନଙ୍କୁ ନିଜ ପଦରୁ ହଟାଇବାକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି । ଏପରିକି କିଛି ସହରକୁ ନିଜ କବଜାକୁ ନେଇଛି । ସେପଟେ ପ୍ରାଇଭେଟ୍ ଆର୍ମି ‘ୱାଗନର’ ଉପରେ କଡ଼ା ନଜର ରଖିଛନ୍ତି ଋଷ ସେନା । ଦୋଷୀକୁ ଦଣ୍ଡ ଦେବା ପାଇଁ ପୁଟିନ ସେନା ସଂକଳ୍ପ ନେଇଛନ୍ତି । ଦେଶଦ୍ରୋହୀ, ବିଶ୍ୱାସଘାତକମାନଙ୍କୁ କେବେ ବି କ୍ଷମା କରାଯିବନି ବୋଲି ପୁଟିନ୍ ରୋକଠୋକ୍ କହିଛନ୍ତି ।

ପ୍ରାଇଭେଟ୍ ଆର୍ମି ‘ୱାଗନର’ମୁଖ୍ୟ ପ୍ରିଗୋଝିନ୍‌, ପୁଟିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ମସ୍କୋ ଅଭିମୁଖେ ପ୍ରାଇଭେଟ୍ ଆର୍ମି ଯାଉଥିବା ବେଳେ ଏଣ୍ଟ୍ରି ମାରିଛନ୍ତି ବେଲାରୁଷ ରାଷ୍ଟ୍ରପତି । ସେ ମଧ୍ୟସ୍ଥତା ପାଇଁ ‘ୱାଗନର’ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ପ୍ରିଗୋଝିନ୍‌ ସହମତି ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ରାଜି ହେବାରୁ ୟୁ-ଟର୍ଣ୍ଣ ନେଇଛି ୱାଗନର ସେନା । ଶେଷରେ ଋଷରେ ବିଦ୍ରୋହର ଧ୍ୱନି ସାମାନ୍ୟ କମିଛି । ରକ୍ତାକ୍ତ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିଛି ଦେଶ ତଥାପି ଆଲର୍ଟ ରହିଛନ୍ତି ଋଷ ସେନା ।

ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ୧୬ ମାସ ପୁରିଲାଣି । ତଥାପି ଏହାର କୌଣସି ନିଷ୍କର୍ଷ ବାହାରୁନି । ସମାଧାନର ରାସ୍ତା କେହି ବି ବାହାର କରୁନାହାଁନ୍ତି । ୟୁକ୍ରେନ ପୁରାପୁରି ଭାବେ ଧ୍ୱସ୍ତବିଧ୍ୱସ୍ତ ହେଲାଣି । ଆମେରିକା ଏବଂ ୟୁରୋପ ମହାଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବାରୁ ୟୁକ୍ରେନ ଯୁଦ୍ଧ ଜାରି ରଖିଛି । ଋଷକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଲାଣି ।

ବାହ୍ୟ ବଳ ସହାୟତାରେ ୟୁକ୍ରେନ୍ ପଛକୁ ହଟୁନି କି ଯୁଦ୍ଧ ବନ୍ଦ କରୁନି । ଏଭଳି ସ୍ଥିତିରେ ଦେଶ ଭିତରେ ହିଁ ପୁଟିନଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଋଷ ଗୃହଯୁଦ୍ଧ ଉପରେ କଡ଼ା ନଜର ରଖିଛନ୍ତି ଆମେରିକା, ୟୁକ୍ରେନ ପରି ବିରୋଧୀ ରାଷ୍ଟ୍ର । ସେପଟେ ଋଷ ସ୍ଥିତି ନେଇ ଭାରତ ଭଳି ମିତ୍ର ରାଷ୍ଟ୍ର ଗୁଡ଼ିକ ଟେନସନରେ ପଡ଼ିଛନ୍ତି । ଋଷ ସ୍ଥିତି ସମ୍ଭାଳିବା ପାଇଁ ମିତ୍ରରାଷ୍ଟ୍ର ବେଲାରୁଷ ଆଲୋଚନା କରିବାକୁ ପ୍ରସ୍ତାବ ରଖିଛନ୍ତି । ତେଣୁ ଗୃହଯୁଦ୍ଧ ଆଶଙ୍କା ଦୂର ହେବା ସହ ଦେଶରେ ଶାନ୍ତି ବଜାୟ ରହିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *