
ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ । କୁହାଯାଉଥିଲା ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁବ । ହେଲେ ଏଥିରେ ଏବେ ବିଳମ୍ବ ହେଲାଣି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ଏଣ୍ଟ୍ରି କରିପାରେ ।

ମୌସୁମୀ ଅଗ୍ରସର ନେଇ ଏବେ ପାଗ ପୁରା ଅନୁକୂଳ ରହିଛି । ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ସ୍ଥଳଭାଗ ଛୁଇଁବା ପରେ ସ୍ପଷ୍ଟ ସୂଚନା ମିଳିବ । ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ୧୮ରୁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ବର୍ଷା ଆରମ୍ଭ ପରେ ରାଜ୍ୟ ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବ ।

ସେପଟେ ୧୮ ତାରିଖ ଯାଏ ଯାଏ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟୱେଭ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ । ବୌଦ୍ଧ,ବଲାଙ୍ଗିର,ସୋନପୁର, ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ାକୁ ସତର୍କତା ଜାରି କରାଯାଇଛି । ୧୬ ତାରିଖରୁ ଉପକୂଳରେ ବି ତାତି ବଢ଼ିବ । ତେଣୁ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଦିନ ସହ ରାତି ତାପମାତ୍ରାରେ ବୃଦ୍ଧି ଘଟିବ । ତାତି ବଢ଼ିବା ଆଶଙ୍କା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ବଲାଙ୍ଗିର ଓ ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪.୫ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
