ମୌସୁମୀ ରିଟର୍ଣ୍ଣସ: ଏବର୍ଷ ସ୍ୱାଭାବିକ ରହିବ ମୌସୁମୀ, କହିଲା IMD

ଚଳିତବର୍ଷ ଦେଶରେ ମୌସୁମୀଜନିତ ବର୍ଷା ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ସେହିପରି ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀକୁ ନେଇ IMD ବିଭିନ୍ନ ଆକଳନ କରିଛି । ଏଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବ ବୋଲି ଆକଳନ କରାଯାଇଛି । ଏହା ସ୍ୱାଭାବିକ ରହିବ ବୋଲି କହିଛି ବିଭାଗ । ଏଥର ଏଲ୍ ନିନୋର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ । ଭାରତୀୟ ଅର୍ଥନୀତି ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ । କିନ୍ତୁ ଚଳିତବର୍ଷ ୪ ଦିନ ବିଳମ୍ବରେ ଆସିବ । ସେହିପରି ଆସନ୍ତା ଜୁନ୍ ୧୨ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବା ନେଇ ସମ୍ଭାବନା ରହିଛି ।

ଗତକାଲି ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳିଥିଲା । ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଯାଏ କଚାଡ଼ିଥିଲା । ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *