
ଶେଷରେ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ପରେ ଆଜି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ ସ୍ଥାନୀୟ ପାଣିପାଗ କିପରି ଅଛି, ସେ ସମ୍ପର୍କରେ କୌଣସି ସୂଚନା ଭାରତୀୟ ପାଣିପାଗ ବିଭାଗ ଦେଇନାହିଁ।
ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।
ପାଣିପାଗ ବିଭାଗର ଗଣିତ ଅନୁସାରେ, ଗତ ତିରିଶ ବର୍ଷର ମୌସୁମୀ ପ୍ରବେଶ ତାରିଖର ହାରାହାରି ସଂଖ୍ୟା ବା ତାରିଖ ବାହାର କରାଯାଏ। ରେକର୍ଡ ଅନୁସାରେ କେରଳରେ ମୌସୁମୀ ପ୍ରବେଶ ତାରିଖ ମେ ତିରିଶ ନଚେତ୍ ଜୁନ ଏକ ହୋଇଥାଏ। ସେହିପରି କେରଳରୁ ଓଡ଼ିଶାକୁ ପ୍ରବେଶ ପାଇଁ ଏହା ଦଶ ଦିନ ନେଇଥାଏ। ମାନେ ଜୁନ ଦଶରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ଏକ ରେକର୍ଡ ରହି ଆସିଛି।
ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍ ପହିଲା ସୁଦ୍ଧା କେରଳରେ ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ମାତ୍ର ଚଳିତ ବର୍ଷ କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । କିନ୍ତୁ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ।
ତେବେ ଏଥର ରଜ ସରିଲେ ଅର୍ଥାତ ୧୬ ତାରିଖ ପରେ ମୌସୁମୀ ଓଡ଼ିଶା ଛୁଇଁବା ଆକଳନ କରାଯାଉଛି। ତେଣୁ ଚଳିତ ବର୍ଷ ରଜରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।