ଭାରତୀ ରିଜର୍ଭ ବ୍ୟାଙ୍କ କେବଳ 78 ମାସ ପରେ 2000 ଟଙ୍କା ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ବିରୋଧୀ ତଥା ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବିମୁଦ୍ରୀକରଣ ଉପରେ ଅନେକ ପ୍ରଶ୍ନ ଉଠାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।
ବିମୁଦ୍ରୀକରଣକୁ ଏକ ମୂର୍ଖତାପୂର୍ଣ୍ଣ ନିଷ୍ପତ୍ତି ବୋଲି ଦର୍ଶାଇ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଚିଦାମ୍ବରମ୍ କହିଛନ୍ତି ଯେ, ସରକାର ବର୍ତ୍ତମାନ 1000 ଟଙ୍କିଆ ନୋଟ୍ ଫେରାଇ ଆଣିପାରିବେ । ଅଟଳ ବିହାରୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା 2000 ଟଙ୍କା ନୋଟ ପ୍ରତ୍ୟାହାରକୁ ଏକ ମୂର୍ଖ ନିଷ୍ପତ୍ତି ବୋଲି କହିଛନ୍ତି ।
ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି । ପାର୍ଟିର ସଭାପତି ମଲ୍ଲିକାର୍ଜୁନ୍ ଖଡଗେ 2000 ଟଙ୍କା ନୋଟ୍କୁ କଭର-ଅପ୍ ବୋଲି କହି ତଦନ୍ତ ଦାବି କରିଛନ୍ତି । ଏଥିସହ ଆରବିଆଇର ଏହି ଆଦେଶକୁ ଶାସକ ବିଜେପି ଦ୍ବାରା କଳା ଟଙ୍କା ଉପରେ ଦ୍ୱିତୀୟ ପ୍ରମୁଖ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଇଛି ।
ବିଜେପି ସାଂସଦ ତଥା ବିହାରର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, କଳା ଟଙ୍କା ଉପରେ ଏହା ହେଉଛି ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍, ଯେଉଁ କାରଣରୁ ଅବଶିଷ୍ଟ କଳା ଟଙ୍କା ମଧ୍ୟ ବାହାରକୁ ଆସିବ । ଡିସେମ୍ବର 2022ରେ ନିଜେ 2000 ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁଶୀଲ ମୋଦୀ ଦାବି କରିଥିଲେ ।
ଆସନ୍ତୁ ପରିସଂଖ୍ୟାନ ମାଧ୍ୟମରେ ଜାଣିବା ବିମୁଦ୍ରୀକରଣ ପରେ ମଧ୍ୟ 2000 ନୋଟ୍ କାହିଁକି ପ୍ରଚଳନରୁ ବାହାର କରିବାକୁ ପଡିଲା ?
- କାହିଁକି ମୋଦୀ ସରକାର କରିଥିଲେ ବିମୁଦ୍ରୀକରଣ ?
8 ନଭେମ୍ବର 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେହି ସମୟରେ 500-1000 ଟଙ୍କିଆ ନୋଟ୍କୁ ପ୍ରଚଳନରୁ ବାହାର କରାଯାଇଥିଲା । ଦୁର୍ନୀତିକୁ ସମାପ୍ତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲେ । ପରେ ବିମୁଦ୍ରୀକରଣର କାରଣ ଦର୍ଶାଇ ମୋଦୀ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ ।
ନଭେମ୍ବର 2022ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଯେ, ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି କୁହାଯାଇପାରିବ ନାହିଁ । କେନ୍ଦ୍ର କହିଥିଲା ଯେ, କେବଳ ଆରବିଆଇର ପରାମର୍ଶରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । 6 ମାସ ପୂର୍ବରୁ ଆରବିଆଇ ବିମୁଦ୍ରୀକରଣ ପାଇଁ ପ୍ରସ୍ତୁତ ହେଉଥିଲା ।
ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ବିବୃତ୍ତିରେ ସରକାର କହିଥିଲେ, ନକଲି ମୁଦ୍ରା, ଆତଙ୍କବାଦୀ ପାଣ୍ଠି, କଳା ଟଙ୍କା ଏବଂ ଟିକସ ଫାଙ୍କିବା ଭଳି ସମସ୍ୟାର ମୁକାବିବା ପାଇଁ ବିମୁଦ୍ରୀକରଣ ଏକ ବୃହତ ରଣନୀତି ଏବଂ ଏକ ପ୍ରଭାବଶାଳୀ ପଦକ୍ଷେପ । ବିମୁଦ୍ରୀକରଣକୁ ଏକ ନୀତିଗତ ନିଷ୍ପତ୍ତି ବୋଲି ମୋଦୀ ସରକାର କହିଥିଲେ ।
- 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ଉଠୁଥିବା ପ୍ରଶ୍ନ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ 500-1000 ଟଙ୍କିଆ ନୋଟକୁ ବନ୍ଦ କରିବା ପରେ 2016ରେ 500-2000 ଟଙ୍କିଆ ନୋଟକୁ ପ୍ରଚଳନକୁ ଆଣିଥିଲେ । ଗୋଲାପୀ ରଙ୍ଗର 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ପ୍ରଶ୍ନ ଉଠୁଛି । ଏଥିରୁ କଳା ଟଙ୍କା ଅଧିକ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ ।
ନଭେମ୍ବର 9, 2016ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ 2000 ଟଙ୍କା ନୋଟକୁ ନେଇ ଏକ ଟ୍ୱିଟ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଏହି ଟୁଇଟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ପଚାରିଥିଲେ ଯେ, 1000 ଟଙ୍କା ବନ୍ଦ କଲା ପରେ 2000 ଟଙ୍କିଆ କିପରି କଳା ଟଙ୍କା ଜମା କରିବା ଉପରେ ପ୍ରତିବନ୍ଧକ ଲଗାଇ ପାରିବ ?
ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାୟ ମଧ୍ୟ 2000 ଟଙ୍କିଆ ନୋଟ୍ ଆଣିବା ଉପରେ ପ୍ରଶ୍ନ ଉଠାଇଥିଲେ । ରାୟ କହିଥିଲେ ଯେ, 2000 ଟଙ୍କା ନୋଟ୍ ଦୁର୍ନୀତିକୁ ଆହୁରି ପ୍ରୋତ୍ସାହିତ କରିବ ।
- 2000 ଟଙ୍କା ନୋଟ୍ ଫେରସ୍ତ, ବିମୁଦ୍ରୀକରଣ କାହିଁକି ହେଲା ବିଫଳ ?
ସାତ ବର୍ଷ ପରେ ସରକାର ଓ ଆରବିଆଇ ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀମାନେ ଏହାକୁ ଏକ ପ୍ରତାରଣା ବୋଲି କହିଛନ୍ତି । ଏପରି ପରିସ୍ଥିତିରେ ଏହା ଜାଣିବା ଜରୁରୀ ଯେ, ଏହି ନିଷ୍ପତ୍ତି ପଛରେ କାରଣ କ’ଣ ?
- ନକଲି ମୁଦ୍ରାର ପ୍ରଚାର ପ୍ରସାର ଆହୁରି ବୃଦ୍ଧି ପାଇଛି – କେନ୍ଦ୍ର ସରକାର ବିମୁଦ୍ରୀକରଣ ପଛରେ ସବୁଠାରୁ ବଡ କାରଣ ନକଲି ମୁଦ୍ରା ବୋଲି କହିଥିଲେ । ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, 40 କୋଟି କର୍ମଜୀବୀ ନଗଦ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ନକଲି ମୁଦ୍ରାର ପ୍ରଭାବ ବହୁତ ବୃଦ୍ଧି ପାଇଥିଲା ।
ବିମୁଦ୍ରୀକରଣ ପରେ କେନ୍ଦ୍ର ସରକାର ଲୋକସଭାରେ କହିଥଇଲେ ଯେ, 2015 ମସିହାରେ 43.83 କୋଟି ଟଙ୍କା ନକଲି ମୁଦ୍ରା ଜବତ କରାଯାଇଛି । ଅନ୍ୟ ଏକ ସରକାରୀ ଆକଳନ ଅନୁଯାୟୀ, 2012ରୁ 2014 ଏହି ତିନି ବର୍ଷ ମଧ୍ୟରେ 136 କୋଟି ଟଙ୍କା ମୂଲ୍ୟର ନକଲି ମୁଦ୍ରା ଜବତ କରାଯାଇଛି । ଯାହା ବାର୍ଷିକ ହାରାହାରି 45 କୋଟି ଥିଲା ।
ବିମୁଦ୍ରୀକରଣ ପରେ ନକଲି ମୁଦ୍ରା ନିୟନ୍ତ୍ରଣ ହେବାର ଆଶା ଥିଲା, କିନ୍ତୁ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ । ଏନସିଆରବି ଏହାର ରିପୋର୍ଟରେ କହିଛି ଯେ, ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ 55.71 କୋଟି ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, 2018ରେ 26.35 କୋଟି, 2019ରେ 34.79 କୋଟି, 2020ରେ 92.17 କୋଟି ଟଙ୍କା ନକଲି ନୋଟ୍ ଜବତ କରାଯାଇଛି । ବିମୁଦ୍ରୀକରଣ ପରେ ସମୁଦାୟ ନକଲି ମୁଦ୍ରାକୁ ଧ୍ୟାନ ଦେଲେ ପ୍ରତିବର୍ଷ ହାରାହାରି 52 କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।
- ଫଣ୍ଡିଂ ବନ୍ଦ କରିବା ପାଇଁ ବିମୁଦ୍ରୀକରଣ ପରେ ବି ଆତଙ୍କ ବନ୍ଦ ହୋଇନାହିଁ – କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, ବିମୁଦ୍ରୀକରଣର ଅନ୍ୟତମ କାରଣ ହେଉଛି ଆତଙ୍କବାଦୀ ପାଣ୍ଠି ବନ୍ଦ କରିବା । ଆତଙ୍କବାଦୀ ମାନେ ହାୱାଲା ମାଧ୍ୟମରେ କଳା ଟଙ୍କା ବ୍ୟବହାର କରି ଭାରତରେ ବିଭିନ୍ନ ଘଟଣା ଘଟାଉଥିଲେ ।
ସରକାର କହିଥିଲେ ଯେ, ଆତଙ୍କବାଦ ପାଣ୍ଠି ବନ୍ଦ କରିବା ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବ, କିନ୍ତୁ ତାହା ହୋଇପାରିଲା ନାହିଁ । ଆତଙ୍କବାଦୀ ଘଟଣାର ପରିସଂଖ୍ୟାନକୁ ଆଧାର କରି ସାଉଥ ଏସିଆ ଟେରୋରିଜମ ପୋର୍ଟାଲ ଜାମ୍ମୁ କାଶ୍ମୀର ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଛି।
ରିପୋର୍ଟ ଅନୁଯାୟୀ, 2014ରେ କାଶ୍ମୀରରେ 222 ଆତଙ୍କବାଦୀ ଘଟଣା ଘଟିଥିଲା ଯେଉଁଥିରେ 28 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2015ରେ, 208 ଘଟଣା ଘଟିଥିଲା ଏବଂ 17 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସେହିପରି 2016 ମସିହାରେ ବିମୁଦ୍ରୀକରଣ ହୋଇଥିଲା, ଆଉ ସେହି ବର୍ଷ 322 ଆତଙ୍କବାଦୀ ଘଟଣା ଘଟିଥିଲା ଏବଂ 15 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।
ବିମୁଦ୍ରୀକରଣର ଏକ ବର୍ଷ ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଥିଲା । 2017ରେ 342 ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ 40 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2018ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା ।
2018ରେ 614 ଆତଙ୍କବାଦୀ ଘଟଣାରେ 39 ଜଣଙ୍କର ମୃତ୍ୟୁ ହୋଇଥିଲା । ନକ୍ସଲବାଦୀ ଘଟଣାରେ ମଧ୍ୟ ସେପରି ହ୍ରାସ ଦେଖିବାକୁ ମିଳିନାହିଁ । 2015ରେ ବିମୁଦ୍ରୀକରଣ ପୂର୍ବରୁ ନକ୍ସଲବାଦୀ ମାନେ 3ଟି ବଡ ଅଘଟଣ ଘଟାଇଥିବା ବେଳେ 2016ରେ ଏହି ସଂଖ୍ୟା 6ରେ ପହଞ୍ଚିଥିଲା ।
ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ ନକ୍ସଲମାନେ ସମଗ୍ର ଦେଶରେ 9ଟି ବଡ ଘଟଣା ଘଟାଇଥିଲେ । 2018ରେ ଏହି ସଂଖ୍ୟା 21ରେ ପହଞ୍ଚିଛି ।
- ଅର୍ଥ ହେରଫେର ମାମଲାରେ ମଧ୍ୟ ଜବତ ଟଙ୍କା ବୃଦ୍ଧି ପାଇଛି – ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନୋଟ ଗୁଡ଼ିକୁ ବଦଳାଇ ଦେଇଥିଲେ କିନ୍ତୁ ଏହା ସେପରି ପ୍ରଭାବଶାଳୀ ହୋଇପାରିଲା ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 2017-18 ବର୍ଷରେ ମନି ଲଣ୍ଡରିଂ ମାମଲାରେ 992 କୋଟି ଟଙ୍କା ଜବତ କରାଯାଇଛି ।
2018-19ରେ ଏହି ସଂଖ୍ୟା 1567 କୋଟିକୁ ବୃଦ୍ଧି ପାଇଥିଲା । 2019-20ରେ 1290 କୋଟି, 2020-21ରେ 880 କୋଟି ଏବଂ 2020-21ରେ 1159 କୋଟି ଟଙ୍କା ଜବତ କରାଯାଇଛି । ଇଡିର ଚଢାଉରେ ଜବତ ହୋଇଥିବା ଟଙ୍କା ଚିତ୍ର ସୋସିଆଲ ମିଡିଆରେ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଥିଲା ।
- ବିଜେପି ସାଂସଦ ପ୍ରଶ୍ନ ଉଠାଇଥିଲେ- ଡିସେମ୍ବର 12, 2022ରେ ସଂସଦର ଶୀତକାଳୀନ ଅଧିବେଶନର ଶୂନ୍ୟ କାଳରେ ବିଜେପି ସାଂସଦ ସୁଶୀଲ ମୋଦୀ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ମୋଦୀ ରାଜ୍ୟସଭାରେ କହିଥିଲେ ଯେ, ଦେଶର ଲୋକମାନେ ବହୁ ପରିମାଣରେ 2000ଟି ନୋଟ୍ ସଂଗ୍ରହ କରି ରଖିଛନ୍ତି । ଏହା କେବଳ ବେଆଇନ ବାଣିଜ୍ୟ ପାଇଁ ବ୍ୟବହୃତ ହେଉଛି ।
ଡ୍ରଗ୍, ମନି ଲଣ୍ଡରିଂ, ଅପରାଧ ଏବଂ ଆତଙ୍କବାଦ ପାଣ୍ଠି ଭଳି ପ୍ରମୁଖ ଅପରାଧରେ 2000 ଟଙ୍କା ନୋଟ୍ ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରାଯାଉଛି ବୋଲି ସୁଶୀଲ ମୋଦୀ ଦାବି କରିଥିଲେ । ସେଥିପାଇଁ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରିବା ଉଚିତ୍ ।