ହୀରାକୁଦ ଗେଟ୍ ଖୋଲିବା ପାଇଁ ମକଡ୍ରିଲ୍, ଠିକ୍ ଭାବେ ବନ୍ୟା ପରିଚାଳନା ଲକ୍ଷ୍ୟ

ଯେକୌଣସି ସମୟରେ ଖୋଲିପାରେ ସମ୍ବଲପୁର ହୀରାକୁଦ ଗେଟ୍ । ଚଳିତବର୍ଷ ବର୍ଷା ସିଜିନରେ ଯେକୌଣସି ସମୟରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ମକଡ୍ରିଲ କରାଯାଇଛି । ଗେଟ୍ ଖୋଲିବା ବେଳେ ଯେମିତି କୌଣସି ଅସୁବିଧା ନ ହେବ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ବନ୍ୟା ପରିଚାଳନା ଠିକ୍ ଭାବରେ କରିବା ପାଇଁ ଏଭଳି ମକଡ୍ରିଲ ଏବେଠାରୁ ଆରମ୍ଭ ହୋଇଛି ।

ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ରହିଛି ୬୦୩.୧୦ ଫୁଟ । ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୯ ଘନଫୁଟ ପାଣି ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ୭୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ଆଗକୁ ଆସୁଛି ବର୍ଷା ଋତୁ । ମୌସୁମୀ ମଧ୍ୟ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବା ନେଇ IMD ପକ୍ଷରୁ ସୂଚନା ମିଳିଛି । ତେବେ ଓଡ଼ିଶାକୁ କେବେ ମୌସୁମୀ ଆସିବ ସେ ନେଇ ଚାଷୀଙ୍କ ଅପେକ୍ଷା ରହିଛି । ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବା ନେଇ ପୂର୍ବରୁ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଯଦି ଅଧିକ ବର୍ଷା ହୁଏ ତେବେ ଗେଟ୍ ଖୋଲିବା ନିହାତି ଜରୁରୀ । ପୁଣି ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ମଧ୍ୟ ବିପଦ । ତେଣୁ ଏବେଠାରୁ ମକଡ୍ରିଲ୍ ସହ ପୂର୍ବ ପ୍ରସ୍ତୁତି କରାଯାଉଛି । ଆସନ୍ତା ଦିନରେ ଯେପରି କୌଣସି ସମସ୍ୟା ଦେଖାନଦିଏ ସେଥିପ୍ରତି ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *