ଦାଦନ ଖଟିବାକୁ ଯାଇଥିଲା କେରଳ, ହତ୍ୟା କଲା ନିଜ ଭିଣୋଇ

ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ। ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କୁ ନିଜ ଭଉଣୀର ସ୍ୱାମୀ ହତ୍ୟା କରିଥିବା ହୋଇଛି ଅଭିଯୋଗ। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ବିଜିପୁର ଗାଁର ଅଭୟ ବୀର। ଏନେଇ ଥାନାରେ ଅଭିଯୋଗ ହେବା ସହ ମୃତଦେହ ଗାଁକୁ ଫେରାଇ ଆଣିବାକୁ ହେଉଛି ଅନୁରୋଧ।
ଖବର ଅନୁଯାୟୀ, ମୋହନା ଥାନା ବିଜିପୁର ଗାଁର ଅଭୟ ବୀର ଦୁଇ ମାସ ହେବ ଦାଦନ ଖଟିବାକୁ ଯାଇଥିଲେ କେରଳ। ସେଠାରେ ସେ କୋଲାମ ଜିଲ୍ଲା କଟରାକେରା ଅଞ୍ଚଳରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲେ। ଭିଣୋଇ ମନୋଜ ବହୁ ଦିନରୁ ସେଠାରେ ଶ୍ରମିକ ଭାବେ କାମ କରି ଆସୁଥିଲେ। କିନ୍ତୁ ଶୁକ୍ରବାର ରାତିରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଅଭୟ ହସ୍ତକ୍ଷେପ କରିବାରୁ ଭିଣୋଇ ମନୋଜ ଉତକ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରନ୍ତି ଅଭୟଙ୍କ ପତ୍ନୀ ଓ ଭାଇ।
ଏହି ଘଟଣାରେ କଟରାକେରା ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରି ପଚରା ଉଚରା କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ସରିଛି। ବର୍ତ୍ତମାନ ମୃତଦେହ ସେଠାରେ ପରିବାର ଲୋକଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କିନ୍ତୁ ଅଭୟଙ୍କ ପରିବାର ଅତି ଗରିବ ହୋଇ ଥିବାରୁ ମୃତଦେହ ଗାଁକୁ ଆଣିବାକୁ ଅସମର୍ଥ। ତେଣୁ ପରିବାର ବର୍ଗ ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ ସରକାର ନିକଟରେ ଅନୁରୋଧ କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ବିଜିପୁର ଗାଁରେ ଖେଳିଯାଇଛି ଶୋକର ଲହରୀ। ଅଭୟଙ୍କ ମୃତଦେହ ଗାଁକୁ ଆଣିବାକୁ କରିଛନ୍ତି ଅପେକ୍ଷା।

Leave a Reply

Your email address will not be published. Required fields are marked *