ରାଜସ୍ଥାନ: ମିଗ-୨୧ ବିମାନ ଖସିପଡିବାରୁ ୩ ମୃତ

ବାୟୁ ସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନର ଏକ ଅଂଶ ଗୋଟିଏ ଘର ଉପରେ ଖସି ପଡିବାରୁ ୩ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ରାଜସ୍ଥାନର ହନୁମାନଗଡରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଲଟ ସୁରକ୍ଷିତ ଥିବା ଜିଲ୍ଲାପାଳ ରୁକ୍ମଣି ରିଆର କହିଛନ୍ତି। ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦେଖି ପାଇଲଟ ପାରାଚୁଟ ସାହାଯ୍ୟରେ ବିମାନରୁ ତଳକୁ କୁଦି ପଡିଥିଲେ। ଏଥିରେ ସେ ଆହତ ହୋଇଛନ୍ତି।

ମିଗ ବିମାନ ଦୁର୍ଘଟଣା ନେଇ ବାୟୁ ସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ସୁରତଗଡରୁ ଆଜି ସକାଳୁ ବାୟୁସେନାର ମିଗ୨୧ ବିମାନ ନିୟମିତ ତାଲିମ ପାଇଁ ଉଡାଣ ଭରିଥିଲା। ତେବେ  ବିମାନର ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି, ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି। କିପରି ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଖୋଜା ଚାଲିଛି।

ସୋମବାର ସକାଳୁ ସକାଳୁ ମିଗ ୨୧ ବିମାନ ସୁରତଗଡରୁ ଉଡାଣ ଭରିଥିଲା। କିନ୍ତୁ ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଏକ ଅଂଶ ଗୋଟିଏ ଘରେ ଖସିପଡିବାରୁ  ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଭିତରେ ଦୁଇ ମହିଳା ରହିଛନ୍ତି। ଉକ୍ତ ଘରେ ମୋଟ ୩ ଜଣ ଥିଲେ ଓ ସମସ୍ତଙ୍କର ମୃତ୍ୟୁ ହୋଇଛି। ସେପଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣି ବିମାନରୁ ପାରାଚୁଟ ସାହାଯ୍ୟରେ ଡେଇଁ ପଡିଥିଲେ ପାଇଲଟ। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  ପାଇଲଟଙ୍କୁ ନେବାକୁ ବାୟୁସେନାର ଏମଆଇ ୧୭କୁ ପଠାଯାଇଥିଲା।  

ସେନାର ବିମାନ ଦୁର୍ଘଟଣାର ସିଲସିଲା ଗତ କିଛି ବର୍ଷ ଧରି ଜାରି ରହିଛି। ଏହା ପୂର୍ବରୁ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ଦୁଇ ଭାରତୀୟ ବିମାନ ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ବିମାନ ମଧ୍ୟପ୍ରଦେଶର ମୁରୈନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁରରେ ଓହ୍ଲାଇଥିଲା। ସେହିପରି ଗତ ସପ୍ତାହରେ ଜମ୍ମୁ କାଶ୍ମୀରର କିଶ୍ତୱାଡା ଜିଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସେହିପରି ଏପ୍ରିଲରେ କୋଚିରେ ଏକ ତାଲିମ ତଟରକ୍ଷୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଗତ ବର୍ଷ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାର ଦୁଇଟି ଘଟଣା ସାମ୍ନାକୁ ଆସିଥିଲା। ୫ ଅକ୍ଟୋବର 2022ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ କ୍ଷେତ୍ର ନିକଟରେ ଏକ ଚାତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେନାର ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ୨୧ ଅକ୍ଟୋବରକୁ ଭାରତୀୟ ସେନାର ଏଭିଏସନ ଆଡଭାନ୍ସ ଲାଇଟ ହେଲିକପ୍ଟର ଖସିପଡିବାରୁ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତୁତିଙ୍ଗରୁ ୨୫ କିଲୋମିଟର ଦୂର ସିୟାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା।

Leave a Reply

Your email address will not be published. Required fields are marked *