
ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । କିନ୍ତୁ କିଛି ନିର୍ଦ୍ଧିଷ୍ଟ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଭଳି ଅଭିଯୋଗ ଆସିଛି ରାଜନଗର ମଣ୍ଡଳ ଶିକ୍ଷାଧିନସ୍ଥ କହ୍ନୁଆ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଛାତ୍ରୀମାନଙ୍କୁ ସିଝା ଅଣ୍ଡା ସହିତ ଗରମ ପାଣିରେ ହଳଦୀ ଗୁଣ୍ଡ ପକା ତରକାରୀ ଖାଇବାକୁ ଦିଆଯାଉଛି ।

ମିଳିଥିବା ସୂଚନାନୁସାରେ , ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଯୋଗାଉଛନ୍ତି ଶିକ୍ଷକ,ଶିକ୍ଷୟତ୍ରୀ ମାନେ । ଶିକ୍ଷକ ମାନେ ନିଜ ଖାଦ୍ୟକୁ ସୁଆଦିଆ କରି ଖାଉଥିବା ବେଳେ ପିଲା ଡାଲି ବଦଳରେ ସିଝା ଆଳୁ ପାଣି ପାଉଛନ୍ତି । ଟିକେ ଭଲ କରି ଦେଖନ୍ତୁ ଏ ଭିଡିଓକୁ | କୁନି କୁନି ପିଲା ମାନଙ୍କୁ କିପରି ନିମ୍ନ ମାନର ଖାଦ୍ୟ ମିଳୁଛି | ଏଭଳି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ।

କହ୍ନୁଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ପୃଷ୍ଟିକର ଖାଦ୍ୟ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ମହାସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସରକାର ଅଣ୍ଡାର ବଜାର ମୂଲ୍ୟ ଠାରୁ କମ ଟଙ୍କା ଦେଉଥିବାରୁ ଆମେ ଏଭଳି ନିମ୍ନ ମାନର ଖାଦ୍ୟ ଛାତ୍ରଛତ୍ରୀଙ୍କୁ ଦେବାକୁ ବାଧ୍ୟ ହେଉଛୁ । ପୂର୍ବ ବିଜେଡି ସରକାର ପ୍ରତି ଅଣ୍ଡା ମୂଲ୍ୟ ପିଛା ୫ ଟଙ୍କା ୫୦ ପଇସା ଦେଉଥିବା ବେଳେ ଏବେ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନ ଅଣ୍ଡାର ମୂଲ୍ୟ ୫ ଟଙ୍କାରୁ ବୃଦ୍ଧି କରି ୭ ଟଙ୍କା ୬୭ ପଇସା କରିଛି । ତଥାପି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୁର୍ନୀତି କରିବା ବାହାନାରେ ପୂର୍ବ ବିଜେଡି ସରକାର ଦେଇଥିବା ଅଣ୍ଡାର ମୂଲ୍ୟକୁ ବର୍ତ୍ତମାନ ସରକାର ଦେଉଥିବା କହି ମଧ୍ୟାହ୍ନ ଭୋଜନ ଟଙ୍କା ଲୁଟୁଛନ୍ତି ।

ଏ ବିଷୟରେ ଉଚ୍ଚ କତୃପକ୍ଷ ଜାଣିଛନ୍ତି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଦିଆଯାଉଥିବା ଏହିଭଳି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉର୍ନ୍ନତି ହେବା ବଦଳରେ ଅବନତି କରିଛି । ତେବେ ନିରୀହ ଛାତ୍ର ଛାତ୍ରୀ ଙ୍କ ପ୍ରତି ଅନ୍ୟାୟ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ କି ପ୍ରକାର ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା । ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅବିଭାବକ ମାନେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।