ଗୁରୁଗ୍ରାମରେ ଏକାଧିକ ଅଗ୍ନିକାଣ୍ଡ, ବହୁ ବସ୍ତି ପୋଡି ପାଉଁଶ

ହରିୟାଣାର ଗୁରୁଗ୍ରାମରେ ଦୁଇଟି ପୃଥକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଜଳିଯିବାରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଅନେକ ବସ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ଅନ୍ୟ ଏକ ଅଗ୍ନିକାଣ୍ଡ ସେକ୍ଟର ୨୯ରେ ଥିବା ୧୫ଟି ବସ୍ତିରେ ଘଟିଛି।
ଅଗ୍ନିଶମ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଘଟଣାରେ ଗୁରୁଗାଓଁ ଗାଁର ଜଣେ ଶ୍ରମିକଙ୍କ ଘରେ ସକାଳ ପ୍ରାୟ ୫.୩୦ ସମୟରେ ନିଆଁ ଲାଗିଯାଇଥିଲା।ଏଥିରେ ଘରର ମାଲିକ ପପୁ, ତାଙ୍କ ପତ୍ନୀ ଏବଂ ପୁଅ ନିଆଁରେ ପୋଡି ହୋଇଯାଇଥିଲେ। ସେମାନଙ୍କୁ ତାଙ୍କ ପଡ଼ୋଶୀମାନେ ଡାକ୍ତରଖାନା ନେଇଥିଲେ।

ବରିଷ୍ଠ ଅଗ୍ନିଶମ ଅଧିକାରୀ ଯଦୁଭେନ୍ଦ୍ର ସିଂ କହିଛନ୍ତି ଯେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କ ୧୩ ବର୍ଷର ପୁଅର ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ ଥିବା ବେଳେ କିନ୍ତୁ ଦମ୍ପତିଙ୍କ ସ୍ଥିତି ଗୁରୁତର ରହିଛି।

ଦ୍ୱିତୀୟ ଘଟଣାଟି ସହି ଅଞ୍ଚଳର ସେକ୍ଟର -୨୯ ରେ ଥିବା ଏକ ବସ୍ତିରେ ଘଟିଥିଲା। ​​ ଏହା ପ୍ରାୟ ୧୧.୩୦ ସମୟରେ ହୋଇଥିଲା| ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ଅତି କମରେ ୬ ଟି ଦମକଳ ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲେ ଓ ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହି ନିଆଁରେ ସେଠାରେ ଥିବା ୧୫ ଟି ବସ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ। ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି । ଏଥିସହ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦିଲ୍ଲୀର ତିନୋଟି ଭିନ୍ନଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ଜାହାଙ୍ଗୀରପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ହେତୁ ୬୦-୭୦ ବସ୍ତି ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ରବିବାର ଦିନ ପ୍ରାୟ ୧୦.୩୦ ସମୟରେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ବସ୍ତିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ପରେ ୧୧ ଟି ଅଗ୍ନିଶମ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିକାଣ୍ଡ ହେତୁ ତିନି ହଜାର ବର୍ଗ ୟାର୍ଡରେ ଅବସ୍ଥିତ ପ୍ରାୟ ୬୦-୭୦ ବସ୍ତି ପୋଡି ପାଉଁଶ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *