ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ଦାୟିତ୍ୱ ଗ୍ରହଣ । ରବିବାର ଦିନ ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ଯ ଶାସନ ସଚିବ ଭାବେ ଆହୁଜା ୬ ମାସ କାମ କରିବେ। ଆସନ୍ତା ଡିସେମ୍ବରରେ ସେ ଅବସର ନେବେ। ଆହୁଜା ନୂଆ ମୁଖ୍ଯ ଶାସନ ସଚିବ ହେବା ପରେ ତାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନା। ଏହା ପୂର୍ବରୁ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ, ୨୦୧୨ରେ କ୍ରୀଡ଼ା ଯୁବ ବ୍ୟାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଓ ୨୦୧୫ରେ ସମବାୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସିବିଏସଇ ଅଧ୍ୟକ୍ଷ ରହିଥଲେ ।ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଦାୟିତ୍ବ ତୁଲାଉଥିଲେ। ଓଡିଶାରେ ବିଜେପି ସରକାର କରିବା ପରେ ଆହୁଜାଙ୍କୁ ଓଡିଶା ଫେରାଇ ଦେଇଥିଲେ କେନ୍ଦ୍ର ସରକାର। ପି କେ ଜେନାଙ୍କ ପରେ ସେ ହିଁ ମୁଖ୍ୟ ଶାସନ ସଚିବ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ପୂର୍ବାହ୍ନରେ ସେ ଦାୟିତ୍ବ ଗ୍ରହଣ ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ପି କେ ଜେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏହା ପୂର୍ବରୁ ସେ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଥିଲେ କି, ଲୋକଙ୍କ ଭିତରେ ଗୋଟିଏ ଧାରଣା ରହିଛି କି, ମୁଖ୍ଯ ଶାସନ ସଚିବଙ୍କ ହାତରେ ସବୁ କିଛି ରହିଛି। ହେଲେ ତାହା ନୁହେଁ। ବ୍ୟବସ୍ଥା, ନିୟମ, କାର୍ଯ୍ୟାବଳୀ ଭିତରେ ମୋର ଏକ ସୀମା ରହିଥିଲା। ତଥାପି ମୁଁ ଅନେକ କ୍ଷେତ୍ରରେ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି, ଅନେକରେ ନିରାଶ କରିଛି। ସେଥିପାଇଁ ଦୁଃଖିତ। ଏବେ ପ୍ରଶାସନିକ ସେବାରୁ ଅବସର ନେଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ଲେଖିଛନ୍ତି ପ୍ରଦୀପ ଜେନା।

Leave a Reply

Your email address will not be published. Required fields are marked *