ଉଜାଗର ରହି ଜାଗର କଲେ ମିଳେ ଏହି ପୁଣ୍ୟ…

ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି ବା ଜାଗର । ଦେବଦେବ ମହାଦେବ ସତ୍ୟ, ଶିବ, ସୁନ୍ଦର । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ଆଜି ପ୍ରତ୍ୟେକ ଶୈବଭକ୍ତ ପାଠ କରୁଛନ୍ତି ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର । ହର ହର ମହାଦେବରେ କମ୍ପୁଛି ଗଗନ, ପବନ । ଆଜି ଉଜାଗର ରହି ଜାଗର ପାଳନ କରୁଛନ୍ତି ଶିବ ଭକ୍ତ।

ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ପୂର୍ବରୁ ବିଶ୍ବାସ ରହିଛି । ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରିଥିଲେ ।

ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ ।

ଅଖଣ୍ଡ ଦୀପ ଜାଳି ରାତିରେ ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ । ଶିବଭକ୍ତ ମାନେ ଆଜିର ଦିନରେ ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହିଥାନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଅନ୍ୟ ଦେବତାଙ୍କ ପୂଜା ଦିନ ବେଳା ହେଉଥିବାବେଳେ ଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଶିବରାତ୍ରିକୁ ଭକ୍ତି ଏବଂ ନିଷ୍ଠାର ସହ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହରରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରେଇ ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ ।