ମହାକାଳପଡ଼ା: ରାତିରେ ମାରିଲା ଚୋଟ, ସକାଳେ ସାପ ସହ ମେଡିକାଲରେ ମହିଳା

ସାପ ନାଁ ଶୁଣିଲେ ମନରେ ସୃଷ୍ଟି ହୁଏ ଭୟ । ଆଉ ବିଷଧର ସାପ ବିଷୟରେ ନ କହିବା ଭଲ । ସାମାନ୍ୟ ଭୁଲ୍ ହୋଇଗଲେ ଜୀବନ ଯିବା ନିଶ୍ଚିତ । କୁହାଯାଏ ସାପ କାମୁଡ଼ିଲେ ହୁଏତ ବଞ୍ଚିଯାଇ ପାରନ୍ତି କିନ୍ତୁ ଚୋଟ ମାରିଲେ ବଞ୍ଚିବା ଭାରି କଷ୍ଟକର । ଏଭଳି ଏକ ଘଟଣା ମହାକାଳପଡ଼ା ବ୍ଲକ୍ ପେଟଛିଲା ପଞ୍ଚାୟତର ଶବରପଡ଼ାରୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ସମୟ ରାତି ପ୍ରାୟ ୧୨ଟା । ଗାଁର କଳ୍ପନା ନାୟକ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇଥିଲେ । ଅନ୍ଧାର ରାତିରେ ଯାଉଥିବା ବେଳେ ଅଜାଣତରେ ସାପ ଉପରେ ପଡ଼ିଗଲା ମହିଳାଙ୍କ ପାଦ । ବିଷଧର ରଣା ସାପକୁ ଆଘାତ ଦେଲେ ପରିସ୍ଥିତି କେତେ ଭୟଙ୍କର ଆପଣ ଜାଣିଛନ୍ତି । ପୁଣି ରାତିରେ ପାଦ ପଡ଼ିବାରୁ ଆଟାକିଂ ମୁଡକୁ ଆସିଥିଲା ରଣା । ଆଉ ମହିଳାଙ୍କ ପାଦକୁ ଚୋଟ ପରେ ଚୋଟ ମାରି ଚାଲିଲା । ଯନ୍ତ୍ରଣା ସହିନପାରି ଚିତ୍କାର କରିବା ସହ ପରିବାର ଲୋକଙ୍କୁ ଡାକିଥିଲେ କଳ୍ପନା । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିଲେ ମହିଳା । ଆଦିବାସୀ ହୋଇଥିବାରୁ ଘରେ ଚିକିତ୍ସା କରିଥିଲେ ।

ଏତିକିରେ ଶାନ୍ତ ହୋଇନଥିଲେ ପରିବାର ଲୋକେ । ଆରମ୍ଭ ହୋଇଥିଲା ରଣା ଧରିବା ଅଭିଯାନ । ଶେଷରେ ବିଷଧର ସାପକୁ ଧରିବାରେ ସକ୍ଷମ ହେଲେ ପରିବାର ଲୋକେ । ସକାଳ ହେଲା ପରେ ସାପକୁ ଧରି ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ର ଯାଇଥିଲେ ଗୁରୁତର ଥିବା କଳ୍ପନା । ସାପ ସହ ମହିଳାଙ୍କୁ ଦେଖି ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *