ମହାକାଳପଡ଼ା: ଅନାଥ’ପୂଜା’କୁ ବିବାହ କରି ଉଦାହରଣ ପାଲଟିଲେ ହିମାଂଶୁ


ଆଜିକାଲି ଗରିବ ଝିଅଙ୍କ ବିବାହ କରିବା ବଡ଼ ସମସ୍ୟା । ଯେଉଁଠି ଧନ ଓ ଯୌତୁକ ଦେବାର କ୍ଷମତା ନାହିଁ, ସୌନ୍ଦର୍ଯ୍ୟ ଓ ଶିକ୍ଷାର ଅଭାବ, ବାପାମା ନଥିବା ନିରୀହ ତଥା ଅନାଥ ଝିଅଟିଏ ବିବାହ କରିବ କିପରି ? ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବା ବେଳେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ । ଜଣେ ଅନାଥ ଝିଅକୁ ଜୀବନ ସାଥୀ ଭାବେ ବାଛି ନେଇ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି ହିମାଂଶୁ ।

ସୁନୀତି ଗାଁର ଅନାଥ ଝିଅ ପୂଜା । ପିଲାଟି ବେଳରୁ ମାଙ୍କୁ ହରାଇଛନ୍ତି । ମା’ଉତ୍ତରପ୍ରଦେଶରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ମା ପୂର୍ଣ୍ଣିମାଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ପୂଜାଙ୍କ ବୟସ ଥିଲା ୬ ମାସ । ମାମୁଙ୍କ ଘରେ ଲାଳନପାଳନ ହୁଅନ୍ତି ପୂଜା । ଏବେ ବିବାହ ବୟସ ହେବାରୁ ମାମୁଙ୍କ ପାଇଁ ବଢ଼ିଥିଲା ଚିନ୍ତା । କାରଣ ସେ ଗରିବ । ଯୌତୁକ ଦେଇ ଭାଣିଜୀଙ୍କ ବିବାହ ଦେବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ହେଲେ ସାହାରା ପାଲଟିଲେ ଗାଁର ଗୁରୁପଦ ଆଦକଙ୍କ ପୁଅ ହିମାଂଶୁ । ସେ ବିବାହ କରିବା ପାଇଁ ରାଜି ହେବାରୁ ଆରମ୍ଭ ହୋଇଥିଲା ପାଣ୍ଠି ସଂଗ୍ରହ ।

ରାଜୀବ ଲୋଚନ ମୋଇତି ଏବଂ ଗାଁ ଲୋକଙ୍କ ଉଦ୍ୟମରେ ଯୋଗାଡ଼ ହୋଇଥିଲା କିଛି ଅର୍ଥ । ଶୀତଳା ମନ୍ଦିରରେ ଆରମ୍ଭ ହୋଇଥିଲା ପୂଜା ଏବଂ ହିମାଂଶୁଙ୍କ ବିବାହ ଉତ୍ସବ । ବୈଦିକ ରୀତିନୀତିରେ ସମ୍ପର୍ଣ୍ଣ ପୂଜାଙ୍କ ମଥାରେ ସିନ୍ଦୁର ଦେଇଥିଲେ ହିମାଂଶୁ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ଭାବେ ବାଛି ନେଇଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିନା ଯୌତୁକରେ ପୂଜାକୁ ବିବାହ କରି ପ୍ରଶଂସା ସାଉଁଟିଛନ୍ତି ହିମାଂଶୁ ।

Leave a Reply

Your email address will not be published. Required fields are marked *