ମଧ୍ୟପ୍ରଦେଶ: ଗଛକୁ ପିଟି ଜଳିଗଲା କାର୍, ୪ ଜୀବନ୍ତ ଦଗ୍ଧ

ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ ଗଛରେ ପିଟି ହେବା ପରେ ଘଟଣାସ୍ଥଳରେ ହିଁ ଜଳିଯାଇଥିଲା । କାର୍‌ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଆଜି ସକାଳେ କାର୍‌ଟି ହରଦା ଜିଲ୍ଲା ଦେଇ ଯାଉଥିଲା । ନୌସର ଗାଁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ତେଣୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍‌ ଜୋରରେ ପିଟି ହୋଇଥିଲା । ସଙ୍ଗେ ସଙ୍ଗେ କାର୍‌ଟି ହୁତୁହୁତୁ ହୋଇ ଜଳିଗଲା । ଦୁର୍ଘଟଣା ପରେ ଆଖି ପିଛୁଳାକେ କାରଟି ଜଳିଯାଇଥିଲା । ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରି ବି କାର୍‌ ଭିତରୁ କାହାରିକୁ ଉଦ୍ଧାର କରିପାରିନଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଶେଷରେ ନିଆଁକୁ ଆୟତ୍ତ କରିଥିଲେ । କାର୍‌ରେ ଥିବା ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ମୃତକମାନେ ହେଲେ ଅଖିଳେଶ କୁଶୱାହା, ଗୋଲୁ ଚୌଧୁରୀ, ରାକେଶ କୁଶୱାହା ଏବଂ ତାଙ୍କ ପତ୍ନୀ ଶିବାନୀ । ସେମାନେ ସମସ୍ତେ ବରକଳା ଚରଖେଡ଼ା ଗାଁ ବାସିନ୍ଦା । ସମସ୍ତଙ୍କ ବୟସ ୨୫ରୁ ୩୦ ବର୍ଷ ହେବ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କମ୍ୟୁନିଟି ସେଣ୍ଟର ପଠାଇଛି । ମୃତକଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *