କେସିଏଫ ମୁଖ୍ୟକୁ ଗୁଳିକରି ହତ୍ୟା

କୁଖ୍ୟାତ ‌ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ମୁଖ୍ୟ ପରମଜିତ ସିଂହ ପଞ୍ଜୱାରଙ୍କୁ ଗୁଳିକରି ହତ୍ୟା।  ପାକିସ୍ତାନର ଲାହୋର ଅନ୍ତର୍ଗତ ଜୋହଠାରେ ଦୁଇ ଦୁର୍ବୃତ୍ତ ଗୁଳି ମାଡ଼ରେ ପରମଜିତଙ୍କ ମୃତ୍ୟୁ ନେଇ ସୂଚନା। ଶନିବାର ସକାଳ ପ୍ରାୟ ୬ଟା ସମୟରେ ଜୋହର ଟାଉନ ଅନ୍ତର୍ଗତ ସନଫ୍ଲାୱାର ସୋସାଇଟିରେ ଥିବା ତା’ ଘର ନିକଟରେ ତାର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ପରମଜିତ ତା’ର ଗନମ୍ୟାନଙ୍କ ସହ ଘର ନିକଟରେ ଥିଲା। ଏହି ସମୟରେ ଦୁଇ ଦୁର୍ବୃତ୍ତ ତା ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଆତତାୟୀଙ୍କ ଗୁଳି ମାଡରେ ସହି ସ୍ଥାନରେ ହିଁ ପରମଜିତ ଟଳିପଡିଥିଲା। ଦୁର୍ବୃତ୍ତଙ୍କ ଗୁଳି ମାଡରେ ଗନମ୍ୟାନ ମଧ୍ୟ ଆହତ ହୋଇଛି।

ପଞ୍ଜାବରେ ଥିବା ତରନ ତାରନ ନିକଟ ପଞ୍ଜୱାର ଗାଁରେ ଜନ୍ମ ଗ୍ରହଣ କରିଥିବା ୫୯ ବର୍ଷୀୟ ପରମଜିତ ଶିଖ ବିଦ୍ରୋହୀମାନଙ୍କୁ ସକ୍ରିୟ କରିବା ସହ ହତ୍ୟା, ଡ୍ରଗ୍ସ ଚାଲାଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କାମରେ ସାମିଲ ରହିଥିଲା। ୧୯୮୬ରେ ସେ କେସିଏଫରେ ଯୋଗ ଦେଇଥିଲା। ୧୯୯୦ରେ ସେ କେସିଏଫର ମୁଖ୍ୟ ଭାବେ ଦାୟିତ୍ୱ ନେବା ସହ ବିଭିନ୍ନ ବେଆଇନ କାମରେ ସାମିଲ ହୋଇଥିଲା।

ପରମଜିତର ଭାରତ ବିରୋଧୀ କାର୍ଯ୍ୟକ୍ରମ ଜଣାପଡିବା ପରେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପାକିସ୍ତାନ ଚାଲି ଯାଇଥିଲା। ସେ ସେବେଠାରୁ ଲାହୋରରେ ରହିବା ଆରମ୍ଭ କରିଥିଲା। ତା’ ପରିବାର ଜର୍ମାନୀରେ ଅବସ୍ଥାନ କରୁଛନ୍ତି।

ସେ ଦୀର୍ଘ ବର୍ଷରୁ ଭାରତ ବିରୋଧୀ କାର୍ଯ୍ୟରୁ କ୍ଷାନ୍ତ ହୋଇଥିଲେ ମଧ୍ୟ ନିଶା କାରବାରରେ ଜଡିତ ରହି ଆସୁଥିଲା। ଆଜି ତାର ମୃତ୍ୟୁ ପରେ ସନ୍ଦେହ କରାଯାଉଛି କି ତାକୁ ଡ୍ରଗ୍ସ କାରବାର ପାଇଁ କେହି ହତ୍ୟା କରିଥାଇପାରେ।

Leave a Reply

Your email address will not be published. Required fields are marked *