କର୍ଣ୍ଣାଟକ: ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ

କର୍ଣ୍ଣାଟକରେ ଆଜି ପ୍ରଥମ ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ କରାଯାଇଛି । ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ଆଜି ଦିନ ୧୧ଟା ୪୫ରେ ଶପଥ ସମାରୋହ ଆରମ୍ଭ ହୋଇଥିଲା । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । କର୍ଣ୍ଣାଟକ ସରକାରରେ ୩୪ ଜଣ ମନ୍ତ୍ରୀ ରହିପାରିବାର ନିୟମ ଅଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ‌.ଶିବକୁମାରଙ୍କ ସମେତ ମୋଟ ୧୦ଜଣ ଶପଥ ନେଇସାରିଛନ୍ତି ।

ଶପଥ ଗ୍ରହଣ କରିଥିବା ୨୪ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ରହିମ୍‌ ଖାଁ,ସନ୍ତୋଷ ଲାଡ୍‌,କେ.ଏନ୍‌.ରାଜନ୍ନା, ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା,ଈଶ୍ବର ଖାନ୍ଦ୍ରେ। ଅନ୍ୟାମାନଙ୍କ ମଧ୍ୟରେ ଚେଲୁବାରାୟ ସ୍ବାମୀ,ମନକୁଲ ବୈଦ୍ୟ ଏବଂ ଏମ୍‌.ସି.ସୁଧାକର, କେ.ଭେଙ୍କଟେଶ,ଏଚ୍‌.ସି.ମହାଦେବାପ୍ପା,ବୈରତି ସୁରେଶ,ଶିବରାଜ ତଙ୍ଗଡ଼ି, ଆର୍‌.ବି.ତିମ୍ମପୁର,ବି.ନଗେନ୍ଦ୍ର,ଲକ୍ଷ୍ମୀ ହେବ୍ବାଲକାର୍‌,ମଧୁ ବାଙ୍ଗରପ୍ପା ଏବଂ ଡି.ସୁଧାକର । ପ୍ରଥମ ଥର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଛନ୍ତି ୧୦ ଜଣ । ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି । ୬ ଜଣ ଭୋକ୍କାଲିଗା ଏବଂ ୮ ଜଣ ଲିଙ୍ଗାୟତ ନେତା ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

ସେହିପରି,ଅନୁସୂଚିତ ଜାତିରୁ ୩ ଜଣଙ୍କୁ ସୁଯୋଗ ମିଳିଥିବା ବେଶେ ଅନୁସୂଚିତ ଜନଜାତିରୁ ୨ ଜଣ ଏବଂ ଅନ୍ୟାନ୍ୟ ପଛୁଆବର୍ଗରୁ ୫ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ରାଜଭବନ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ସରକାର ଗଠନ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *