ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା

ପାରିବାରିକ କଳହ ପରେ ଶେଷରେ ଆତ୍ମହତ୍ୟାକୁ ଆପଣାଇ ନେଇଛନ୍ତି ମହିଳା। ବେକରେ ଫାଶୀ ଦେଇ ନିଜ ଜୀବନ ନେବା ପରେ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି ଶ୍ୱଶୁର ଘର ଲୋକଙ୍କ ବିରୋଧରେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧୀନ  ମୁଳିଦା ଗ୍ରାମ ରେ।

ସୂଚନା ଅନୁସାରେ ବରୁଣଗଡିଆ ପଞ୍ଚାୟତର ନାଇକୁଡି ଗ୍ରାମର ବରେନ୍ଦ୍ର ନାଥ ଦାସଙ୍କର ପଞ୍ଚମ କନ୍ୟା ଜ୍ଯୋତିଶ୍ରୀ  ବ୍ରାହ୍ମଣଦା ପଞ୍ଚାୟତ ଅନ୍ତର୍ଗତ ମୁଳିଦା ଗ୍ରାମର ଝାଡେଶ୍ବର ଦାସ ଅଧିକାରୀଙ୍କ ପୁତ୍ର ଜଗଦୀଶ ଦାସ ଅଧିକାରୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଜଗଦୀଶ ପେସାରେ ଜଣେ ଗାଡ଼ି ଡ୍ରାଇଭର। ଗାଡି ଚଳାଇ ସେ ପରିବାରର ଗୁଜୁରାଣ ବଡ କଷ୍ଟରେ ମେଣ୍ଟାଉ ଥିଲେ। ବିବାହକୁ ଏହା ମଧ୍ୟରେ ଅଢେଇ ବର୍ଷ ବିତି ଗଲାଣି। କିନ୍ତୁ ସବୁ ସମୟରେ ଘରେ ଅଭାବ ଅନାଟନ ଲାଗି ରହୁଥିଲା ଓ ସବୁ ସମୟରେ  ଛୋଟ ମୋଟ କଥାକୁ ନେଇ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହିଥିଲା। ଜଗଦୀଶ ଓ ଜ୍ୟୋତିଶ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏଥିରେ ପରିବାରର ଅନ୍ୟମାନେ ମଧ୍ୟ ଥିଲେ।

ତେବେ ଗତ ଚାରି ଦିନ ତଳେ ଜଗଦୀଶଙ୍କ ଜଣେ ସମ୍ପର୍କୀୟ ଝିଆରୀରର ଜନ୍ମ ଦିନ ଥିଲା। ବିଭିନ୍ନ କାରଣ ପାଇଁ  ଜଗଦୀଶ ଙ୍କ ମା ସେଠାକୁ ଯିବାକୁ ବୋହୂକୁ ମନା କରିଥିଲେ। ହେଲେ ବୋହୂ  ଜ୍ୟୋତି ଶାଶୂଙ୍କ ବାରଣ ନ ମାନି ସେଠାକୁ ଚାଲିଯାଇଥିଲେ। ଫଳରେ ଘରେ ଆହୁରି ଅଶାନ୍ତି ସୃଷ୍ଚି ହୋଇଥିଲା ଓ ଜ୍ୟୋତିଙ୍କୁ ସମସ୍ତେ ବହୁ କଥା ଶୁଣାଇଥିଲେ। ଏହାକୁ ନେଇ ଘରେ ଜୋରଦାର ଯୁକ୍ତିତର୍କ ମଧ୍ୟ ଲାଗିରହିଥିଲା।

ତେବେ ଆଜି ଦିନ ବାରଟା ସମୟରେ ଘରେ କେହି ନଥିବା ବେଳେ ଜ୍ୟୋତିଶ୍ରୀ ନିଜର ଶୋଇବା ଘରେ ଲାଗିଥିବା ଫ୍ୟାନରେ ଦଉଡ଼ି ଲଗାଇ ଫାଶୀ ଲଗାଇ ଦେଇଥିଲେ। ଏହା ଜାଣି ଶ୍ବଶୁର, ଦିଅର,ଶାଶୁ  ଓ  ଗ୍ରାମବାସୀ ମାନେ ମିଶି ଜ୍ଯୋତିଶ୍ରୀକୁ ଉଦ୍ଧାର କରି ବସ୍ତା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ପରେ ଜ୍ୟୋତିଙ୍କ ମୃତ୍ୟୁ ନେଇ ତାଙ୍କ ବାପ ଘରକୁ ଖବର ଦିଆଯାଇଥିଲା।

ଏହାକୁ ନେଇ ମୃତ ଜ୍ୟୋତିଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ପ୍ରାଥମିକ ତଦନ୍ତ  ଆରମ୍ଭ କରି ଦେଇଛି। ଘଟଣାରେ ମୃତକଙ୍କ ଦିଅରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

Leave a Reply

Your email address will not be published. Required fields are marked *