ତାମିଲନାଡୁ/ମଦୁରାଇ: ରାତି ଅଧରେ ଗହଣା ଦୋକାନରେ ବଡ଼ ଧରଣର ଲୁଟ୍। ମୁହଁରେ ମୁଖା ପିନ୍ଧି ଦୋକାନରେ ପଶିଲା ଲୁଟେରା। ଆଉ ଆଖି ପିଛୁଳାକେ ଲୁଟିନେଲା କୋଟି କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର। ତାମିଲନାଡୁର ମଦୁରାଇ ସହରରେ ଥିବା ଏକ ନୂଆ ତାନିସ୍କ ଜୁଏଲାରୀ ଶୋ’ରୁମ୍ରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ସୂଚନା ଅନୁଯାୟୀ, ମଦୁରାଇ ବାଇପାସ୍ ରୋଡ୍ରେ ଥିବା ତାନିସ୍କ ଶୋ’ରୁମ୍ଟି ମାତ୍ର ୧୫ ଦିନ ପୂର୍ବରୁ ଖୋଲିଥିଲା। ନଭେମ୍ବର ୧୨ ତାରିଖ ଭୋର୍ ପ୍ରାୟ ୩ଟା ସମୟରେ ମୁଖାପିନ୍ଧା ଲୁଟେରା ଦୋକାନରେ ପ୍ରବେଶ କରିଥିବା ସନ୍ଦେହ କରୁଛି ପୋଲିସ। ଦୋକାନଟି ଥିବା ବହୁତଳ କୋଠାର କିଛି ଅଂଶରେ ନିର୍ମାଣ କାମ ଚାଲିଥିବାରୁ ଲୁଟେରା ଏହାର ସୁଯୋଗ ନେଇଥିବା କୁହାଯାଉଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଲୁଟେରା ପ୍ରଥମେ କୋଠା ପଛପଟେ ଲାଗିଥିବା ଲୁହା ଭାରା ସାହାଯ୍ୟରେ ଉପର ମହଲାକୁ ଚଢ଼ିଥିଲା। ପରେ ଲିଫ୍ଟ ପାଇଁ ଥିବା ରାସ୍ତା ଦେଇ ଶୋ’ରୁମ୍ ଭିତରକୁ ପ୍ରବେଶ କରିଥିଲା। ସେଠାରେ ପ୍ରଦର୍ଶନ ପାଇଁ ରଖାଯାଇଥିବା ସୁନା ଓ ହୀରା ଅଳଙ୍କାର ଲୁଟିନେଇଥିଲା। ତେବେ ଲକର୍ରେ ରଖାଯାଇଥିବା ଗହଣାକୁ ଲୁଟେରା ଛୁଇଁ ନଥିବା ଜଣାପଡ଼ିଛି।
ଗୁରୁବାର ସକାଳେ କର୍ମଚାରୀମାନେ ଦୋକାନ ଖୋଲିବା ପରେ ଏହି ବଡ଼ ଧରଣର ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଅଧିକାରୀ, ଫରେନ୍ସିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି। ଶୋ’ରୁମ୍ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏଥିସହ ଦୋକାନର ସୁରକ୍ଷା ବ୍ୟବସ୍ଥା ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୋଲିସ।
ମାତ୍ର କିଛିଦିନ ପୂର୍ବରୁ ଖୋଲିଥିବା ଏତେ ବଡ଼ ଗହଣା ଶୋ’ରୁମ୍ରୁ କିଭଳି କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍ ହେଲା, ତାହାକୁ ନେଇ ଉଠିଛି ପ୍ରଶ୍ନ।