ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ସାରା ରାଜ୍ୟ। ଗାଁଠୁ ସହର ସବୁଠି ଏହି କୃଷିଭିତ୍ତିକ ପର୍ବ ପାଳନ ପାଇଁ ଆୟୋଜନ ହୋଇଛି ବିଶେଷ କାର୍ଯ୍ୟକ୍ରମ। ଏହାରି ଭିତରେ ରାଜଧାନୀର ଭିନ୍ନ ଭିନ୍ନ ବସ୍ତି ବାସିନ୍ଦାଙ୍କ ନିକଟରେ ସିଧାସଳଖ ପହଞ୍ଚି ଅଭିନବ ଉପାୟରେ ରଜକୁ ପାଳନ କରୁଛି ଜୟ ଓଡ଼ିଶା ସଂଗଠନ। ରଜର ୩ଦିନ ବ୍ୟାପୀ ଭୁବନେଶ୍ୱରର ପ୍ରାୟ ୧୨ଟି ବସ୍ତି ଅଞ୍ଚଳରେ ସଂଗଠନର କର୍ମକର୍ତ୍ତା ପହଞ୍ଚି ସେମାନଙ୍କ ସହ ପାଳନ କରିଛନ୍ତି ରଜ। ଏହି ଅବସରରେ ଛୋଟ ପିଲାଙ୍କ ପାଇଁ ନୃତ୍ୟ ଗୀତ ସହିତ ବିଭିନ୍ନ ରୋମାଞ୍ଚକର ଖେଳ ପ୍ରତିଯୋଗିତା କରି , ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଉଛି।
ଏଥିସହ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରଜ କୁଇନ ମୁକୁଟ ପିନ୍ଧା ଯାଉଛି। ଏହି କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ବ୍ୟତୀତ ସମସ୍ତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଖୁବ୍ ଉପଭୋଗ କରୁଛନ୍ତି। ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଏହାର ସୁପରିଚାଳନା କରୁଛନ୍ତି। ବସ୍ତି ବାସିନ୍ଦାଙ୍କ ମନରେ ପୁଲକ ଭରିଦେବା ସହ ଛୋଟ ପିଲା ମାନଙ୍କ ମୁହଁରେ ହସ ଫୁଟାଇବାକୁ ତଥା ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଆୟୋଜକ।
ତେବେ ରାଜ୍ୟର ଏହି ଗଣପର୍ବ ଧୀରେ ଧୀରେ ତାର ଗରିମା ହରାଇ ବସୁଥିବା ବେଳେ ଏହି ପରି ଆୟୋଜନ ଆମ ଆଗାମୀ ପିଢିକୁ ତାର ସଂସ୍କୃତି ଓ ଐତିହ୍ୟ ସହ ଜୋଡି ରଖିବାରେ ସହାୟକ ହେବ ନିଶ୍ଚିତ।
ଭିଡିଓ ଦେଖିବାକୁ କ୍ଲିକ କରନ୍ତୁ ଏହି ଲିଙ୍କରେ