ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

ଜମ୍ମୁକାଶ୍ମୀର କିସ୍ତବାଡ଼ ଅଞ୍ଚଳରେ ଦୁର୍ଘଟଣା । ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିଯିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପର ୧୦ ଜଣ ଶ୍ରମିକଙ୍କୁ ନେଇ ଗାଡ଼ିଟି ଯାଉଥିବା ବେଳେ ଜଳଭଣ୍ଡାର କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପତ୍ୟକା ଉପରୁ ଗୋଟିଏ ଗାଡ଼ି ଖସିଯାଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି । ଗାଡ଼ି ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, କିସ୍ତବାଡ଼ ଜିଲ୍ଲାପାଳ ଡକ୍ଟର ଦେବାଂଶ ଯାଦବଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ସବୁ ପ୍ରକାର ସାହାଯ୍ୟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ଉଚ୍ଚରୁ ଗାଡ଼ିଟି ଖସିଯିବାରୁ ୭ ଜଣଙ୍କ ଜୀବନ ଯାଇଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆବଶ୍ୟକପଡ଼ିଲେ କିସ୍ତବାଡ଼ ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା କାହିଁକି ଓ କେମିତି ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *