
ଯାଜପୁର ସଦର ଥାନା ବୁଢ଼ାନଦୀର ମହାବୀର ମଠଛନ୍ଦା ଘାଟରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ । ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ ।

ଘାଟରେ ଗାଧୋଇବା ହେଲା କାଳ । ଗାଧୋଇବାକୁ ଯାଇ ଜୀବନ ହାରିଲେ ରାଜେଶ ମିଶ୍ର । ଯାଜପୁର ବ୍ଳକ୍ ଜାହାନପୁର ପଞ୍ଚାୟତ ଶଙ୍ଖନାଳୀ ଗାଁର ରାଜେଶଙ୍କ ମୃତ୍ୟୁ । ମହାବୀର ମଠଛନ୍ଦା ଘାଟରେ ଅଧିକ ଗଭୀର ଥିବାରୁ ଗାଧୋଇବା ବେଳେ ଯୁବକଙ୍କ ଗୋଡ଼ ଖସିଯାଇଥିଲା । ଶେଷରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯାଜପୁର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ମୃତଦେହ । ସଦର ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସେପଟେ,ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ନଦୀରୁ ବାରମ୍ବାର ବାଲି ଚାଲାଣ ହେଉଥିବାରୁ ଘାଟ ଅଞ୍ଚଳରେ ଗଭୀର ଅଧିକ ରହିଛି । ଲୋକେ ଗାଧୋଇବା ବେଳେ ସାମାନ୍ୟ ଗୋଡ଼ ଖସିଗଲେ ମୃତ୍ୟୁ ନିଶ୍ଚିତ ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ସ୍ଥାନୀୟ ଲୋକେ ।