
ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ । ଗୋପାଳପୁର ଏବଂ ଚକଗୋପାଳପୁର ଗାଁରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ପରିଦର୍ଶନ କରିବା ସହ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ସଚିବ ।

ଯାଜପୁର ଜିଲ୍ଲା ଗସ୍ତ କରି ରସୁଲପୁର ବ୍ଲକ୍ ଅଧୀନ ଗୋପାଳପୁର ଓ ଚକଗୋପାଳପୁର ଗାଁ ଯାଇଥିଲେ ମୁଖ୍ୟ ଶାସନ ସଚିବ । ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ ନାବାର୍ଡର ସହାୟତା, ସଦସ୍ୟସଦସ୍ୟାଙ୍କ ଅଂଶଧନ ରାଶି ବିନିଯୋଗରେ ନିର୍ମିତ ତଥା ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳିତ ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ବୁଲି ଦେଖିଥିଲେ ସିଏସ । ଉତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ବୁଣାକାର, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ । ପ୍ରାୟ ୨ ହଜାର ବୁଣାକାର ଘରେଘରେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରୁଛନ୍ତି । ଟସର ସୂତାରେ ନିର୍ମିତ ହେଉଛି ଶାଢ଼ୀ,ଷ୍ଟଲ,ଲୁଙ୍ଗି,ବେଡସିଟ୍,ଶାଲ,ଧୋତି ଏବଂ ବିଭିନ୍ନ ପ୍ରକାରର ବସ୍ତ୍ର ।

ଖାଣ୍ଟି ଟସର ଓ ସୂତାରେ ତିଆରି ହେଉଛି ଆକର୍ଷଣୀୟ ବସ୍ତ୍ର । ବୁଣାକାରମାନଙ୍କ ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ, କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରାଯାଇପାରୁଛି । ଏବେ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।

ନାବାର୍ଡ ପକ୍ଷରୁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦିଆଯାଇଛି । କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯେପରିକି ରଙ୍ଗ ଦେବା, ଡିଜାଇନ କରିବା, ସିଲାଇ ନେଇ ୧୫୦ ଜଣଙ୍କୁ ତାଲିମ ଦିଆଯାଇଛି ।

ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଛି । ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢ଼ୀକରଣ ପାଇଁ ଟସର ଅଭାବ ପୂରଣ,ବିପଣନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା,ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଛନ୍ତି ।

ଯାଜପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପର ବିକାଶ ହେଉଥିବାରୁ ବୁଣାକାରମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ । ଉଭୟ ଗାଁର ବୁଣାକାରମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ସିଏସ୍ କହିଛନ୍ତି ।