
ଆଜି ସମଗ୍ର ବିଶ୍ୱରେ’ଆନ୍ତର୍ଜାତିକ ବେଆଇନ୍ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ’ ପାଳନ କରାଯାଉଛି । ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଅବକାରୀ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କୁଅଁର ଏଥିରେ ଯୋଗ ଦେଇଥିଲେ । ସମାଜରେ ନିଶା କାରବାରକୁ ରୋକିବା ପାଇଁ ସମସ୍ତେ ଆହ୍ୱାନ କରିଛନ୍ତି । ଏଥିସହ ଏହାର ବ୍ୟବହାର ବନ୍ଦ କରିବା ପାଇଁ ଲୋକଙ୍କୁ କହିଛନ୍ତି ଗୋପିନାଥ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇ ନିଶାମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ କରିଛନ୍ତି । ନିଶା କାରବାର ଯୋଗୁଁ ସମାଜରେ ଅପରାଧ ବଢୁଛି, ସବୁ ସମ୍ପର୍କ ଛିନ୍ନ ହେଉଛି, ଲୋକଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଉଛି । ଅର୍ଥହାନୀ, ପାରିବାରିକ କଳହ ମଧ୍ୟ ସୃଷ୍ଟି ହେଉଛି । ତେଣୁ ଆମେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଅତିଥିମାନେ କହିଛନ୍ତି ।

ନିଶା କ’ଣ, ନିଶା ସେବନ କଲେ ଏହା କିପରି ଶରୀର ପାଇଁ କ୍ଷତିକାରକ ହୋଇଥାଏ ସେ ନେଇ ସଚେତନତା ବାର୍ତ୍ତା ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।