ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରାୟନ-୩: ଇସ୍ରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋର ବଡ ଘୋଷଣା। ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ-୩ ର ଲଞ୍ଚିଂ ତାରିଖ ଘୋଷଣା। ଚନ୍ଦ୍ରାୟଣ-୩ ଉତକ୍ଷେପଣର ସମ୍ଭାବ୍ୟ ସମୟ ଜୁଲାଇ ୧୩, ମଧ୍ୟାହ୍ନ ୨ଟା ୩୦ ଧାର୍ଯ୍ୟ କରାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଭାରତର ହେବ ବଡ ସଫଳତା ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ। ଚନ୍ଦ୍ରାୟନ ୩ର ସୁରକ୍ଷିତ ଲ୍ୟାଣ୍ଡିଂ ଓ ରୋଭିଂ ଜରିଆରେ ଇସ୍ରୋ ଦୁନିଆ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି ସ୍ୱଦେଶୀ ଜ୍ଞାନ କୌଶଳ ।  

ବାସ୍ତବରେ ଚନ୍ଦ୍ରାୟନ ୩ ହେଉଛି ଚନ୍ଦ୍ରାୟନ ୨ର ଫଲୋଅପ ମିସନ।  ଏହି ମିସନରେ ପୂର୍ବର ଭୁଲକୁ ଦୋହରା ଯିବନାହିଁ। ଏହାକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡ କରିବା ଉପରେ ଇସ୍ରୋ ଦେଇଛି ଗୁରୁତ୍ୱ। କାରଣ ଚନ୍ଦ୍ରାୟନ ୨ର ସଫଳ ଲଞ୍ଚି ପରେ ସବୁ କିଛି ଠିକ ଚାଲିଥିବା ବେଳେ କିନ୍ତୁ ଶେଷ ପର୍ଯ୍ୟୟରେ ଲ୍ୟାଣ୍ଡିଂରେ ଦେଖାଦେଇଥିଲା ସମସ୍ୟା। ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର ୩୫୦ ମିଟର ଉଚ୍ଚରୁ ଦ୍ରୁତତା କାରଣରୁ ଜମି ଉପରେ ବାଡେଇ ହୋଇଥିଲା ଚନ୍ଦ୍ରାୟନ ୨। ତେଣୁ ଚଳିତ ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ।

ଚନ୍ଦ୍ରାୟନ ୩ର ସ୍ପେସ କ୍ରାପ୍ଟ ସମ୍ପୂର୍ଣ୍ଣ ଅଟୋମାଟିକ ହୋଇଥିବା ବେଳେ ଏଥିରେ ଲଗାଯାଇଛି ଶହ ଶହ ସେନ୍ସର, ଯାହା ଯାନର ଅବତରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ କରିବ ସହଯୋଗ । ଏଥିରେ ଏପରି ଯନ୍ତ୍ର ସବୁ ସଂଯୋଗ ହୋଇଛି ଯାହା ଆଲୋକ ଓ ଖଣିଜ ତାପ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବ। ତେଣୁ ଲ୍ୟାଣ୍ଡରରେ ଚନ୍ଦ୍ର ପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ଲାଗାଯାଇଛି। ଏହା ଚନ୍ଦ୍ର ପୃଷ୍ଠରେ ଥର୍ମଲ କଣ୍ଡକ୍ଟିଭିଟି ଓ ତାପମାତ୍ରାର କରିବ ଅଧ୍ୟୟନ। ସେହିପରି ଚନ୍ଦ୍ରାୟନ୩ ଯାନରେ ଲାଗିଥିବା ଲୁନାର ସିସ୍ମିକ ଆକ୍ଟିଭିଟି ସେଠା  ଭୂପୃଷ୍ଠର ଭୂକମ୍ପ ସମ୍ବନ୍ଧିତ ସୂଚନା ସଂଗ୍ରହ କରିବ। ଲ୍ୟାଣ୍ଡରେ ଲାଗିଥିବା ଲେଙ୍ଗମୁର ପ୍ରୋବ ଚନ୍ଦ୍ର ଉପରେ ପ୍ଲାଜମାର  ଘନତା ଓ  ତାର ଅନ୍ତରକୁ ଯାଞ୍ଚ କରିବ। ଏହା ବ୍ୟତୀତ ନାସା ଏଥିରେ ପ୍ୟାସିଭ ଲେଜର ରେଟ୍ରୋରିଫ୍ଳେକ୍ଟର ଲଗାଇଛି, ଯାହା ଚନ୍ଦ୍ର ପୃଷ୍ଠ ଉପରେ ଲେଜର ଜରିଆରେ ରେଞ୍ଜିଂ ଷ୍ଟଡି କରିବ। ସେହିପରି ରୋବରରେ ଥିବା ଆଲ୍ଫା ପାର୍ଟିକଲ ଏକ୍ସ- ରେ ସ୍ପେକ୍ଟ୍ରୋମିଟର ଓ ଲେଜର ପ୍ରବର୍ତ୍ତିତ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଅବତରଣ ସ୍ଥଳରେ ଖଣିଜ, ମାଟି ଓ ସେଠାକାର ରାସାୟନ ମିଶ୍ରଣର ଅଧ୍ୟୟନ କରିବ।

ଚନ୍ଦ୍ରାୟଣ୨ର ଲ୍ୟାଣ୍ଡର ପରି ଏଥିରେ ୫ ଟି ଥ୍ରୋଟଲ ଇଞ୍ଜିନ ବଦଳରେ ଲାଗିଛି ୪ଟି । ଏହା ବ୍ୟତୀତ ଲ୍ୟାଣ୍ଡରରେ ଲେଜର ଡାପ୍ଲୋର  ଭେଲୋସିମିଟର ଲଗାଯାଇଥିବା ରହିଛି ସୂଚନା । ଏହା ଦ୍ୱାରା ଲ୍ୟାଣ୍ଡିଂ ସହଜ ହେବ। ଗୋଟିଏ ଲ୍ୟାଣ୍ଡର, ଗୋଟିଏ ରୋଭର ଓ ଗୋଟିଏ ପ୍ରପୁଲସନ ମଡ୍ୟୁଲକୁ ନେଇ ଚନ୍ଦ୍ରାୟଣ ୩ର ଗଠନ। ଏହାର ଓଜନ ୩,୯୦୦ କିଲୋ ହୋଇଥିବା ବେଳେ ପ୍ରପୁଲସନ ମଡ୍ୟୁଲର ଓଜନ ରହିଛି ୨,୧୪୮ କିଲୋ। ଏହା ଲ୍ୟାଣ୍ଡର ଓ ରୋଭରକୁ ୧୦୦ କିଲୋମିଟରର ଚନ୍ଦ୍ର କକ୍ଷକୁ ନେଇଯିବ। ତେବେ ଚନ୍ଦ୍ରାୟନ ୨ ସଦୃଶ  ରୋଭର ରହିଛି ଚନ୍ଦ୍ରାୟନ୩ରେ । ଏହାର ଓଜନ ୨୬ କେଜି। ଚନ୍ଦ୍ରାୟନ୩ର ଯନ୍ତ୍ରାଂଶର ପ୍ରପୁଲସନ ମଡ୍ୟୁଲ ୭୫୮ ୱାଟ ବିଜୁଳି ଉତ୍ପାଦନ କରୁଥିବା ବେଳେ ଲ୍ୟାଡର ମଡ୍ୟୁଲ ୭୩୮ ଓ ରୋଭର ୫୦ ୱାଟ ଉତ୍ପନ୍ନ କରିବ। ଚନ୍ଦ୍ରାୟନ ୩ ଲଞ୍ଚିଂର ସମସ୍ତ ପ୍ରସ୍ତୁତି ସରିଛି।

ଇସ୍ରୋ ତନ୍ନ ତନ୍ନ କରି ସମସ୍ତ ଉପକରଣରର ଯାଞ୍ଚ କରି ସେଥିରେ ସଫଳ ହୋଇଛି। ତେଣୁ ଏହାକୁ ଆଗାମୀ ୧୩ ତାରିଖରେ ଲଞ୍ଚ କରିବାକୁ ଘୋଷଣା କରାଯାଇଛି। ଇସ୍ରୋ ମୁତାବକ ଚନ୍ଦ୍ରାୟନ ୩ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ  ଲଞ୍ଚ କରାଯିବ। ଏହାକୁ  ପ୍ରକ୍ଷେପଣ ଯାନ ମାର୍କ-3 ଜରିଆରେ ପଠାଯିବ। ବିଶେଷକରି ବେସାମରିକ ବିମାନ ଚଳାଚଳ ଏବଂ ସାମରିକ ଆବଶ୍ୟକତାଗୁଡ଼ିକରେ ପୋଜିସନାଲ୍, ନେଭିଗେସନ୍ ଏବଂ ଟାଇମିଂ ସମ୍ବନ୍ଧିତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଇସ୍ରୋ ଚନ୍ଦ୍ରାୟଣ୩ର ନାଭିକ ସିଷ୍ଟମକୁ ବିକଶିତ କରିଛି | ପୂର୍ବରୁ ମଧ୍ୟ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବେଶ ଖ୍ୟାତି ରଚନା କରିଛି। ଏବେ ଏହି ମିଶନ ମାଧ୍ୟମରେ ନାଭିକ ସିଷ୍ଟମକୁ ଆହୁରି ବିକଶିତ କରି ଇସ୍ରୋ ଭାରତର ଜ୍ଞାନ କୌଶଳକୁ ବିଶ୍ୱ ଆଗରେ ରଖି ଇତିହାସ ରଚିବାକୁ ରଖିଛି ଲକ୍ଷ୍ୟ। 

Leave a Reply

Your email address will not be published. Required fields are marked *