
କେରଳ ଏଲାତୁର୍ ଟ୍ରେନ୍ ପୋଡ଼ି ମାମଲାର ଅଭିଯୁକ୍ତକୁ ମହାରାଷ୍ଟ୍ରର ରତ୍ନଗିରିରୁ କେରଳର କୋଝିକୋଡ଼ ଜିଲ୍ଲାକୁ ସ୍ଥାନାନ୍ତରଣ କରାଯାଇଥିଲା । ଏହି ସୂଚନା ଲିକ୍ ହେବା ପରେ ଆକ୍ସନ ନେଇଛନ୍ତି କେରଳ ସରକାର । ବରିଷ୍ଠ ଆଇପିଏସ୍ ଅଫିସର୍ ତଥା ଇନ୍ସ୍ପେକ୍ଟର୍ ଜେନେରାଲ୍ ପି.ବିଜୟନ୍ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଆଇନ୍ ଶୃଙ୍ଖଳା ଏଡିଜିପି ଏମ୍.ଆର୍.ମାଥୁର ଦାଖଲ କରିଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଇଛି । ଅଭିଯୁକ୍ତର ସ୍ଥାନାନ୍ତରଣ ସଂକ୍ରାନ୍ତ ସୂଚନା ଲିକ୍ କରିବା ସାଙ୍ଘାତିକ ନିରାପତ୍ତା ତ୍ରୁଟି ଯାହା ରିପୋର୍ଟରେ କୁହାଯାଇଛି । ତେଣୁ ବରିଷ୍ଠ ଆଇପିଏସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜୟନ୍ ଏବଂ ଟ୍ରେନ୍ ପୋଡ଼ି ମାମଲା ତଦନ୍ତକାରୀ ଟିମ୍ରେ ସାମିଲ ହୋଇନଥିବା ଗ୍ରେଡ୍ ଏସ୍ଆଇ ମନୋଜ କୁମାର, ଅଭିଯୁକ୍ତଙ୍କୁ ସ୍ଥାନାନ୍ତରଣ କରୁଥିବା ପୋଲିସ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ଥିଲେ । ତେଣୁ ତାଙ୍କ ବିରୋଧରେ ଆକ୍ସନ ନେବା ଯୁକ୍ତିଯୁକ୍ତ । ଏହି ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିଜୟନ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଆସନ୍ତା ଦିନରେ ପୋଲିସ ମୁଖ୍ୟାଳୟ ଏଡିଜିପି କେ.ପଦ୍ମକୁମାର ଏହି ମାମଲାର ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

ଟ୍ରେନ୍ପୋଡ଼ି ମାମଲାର ସନ୍ଦିଗ୍ଧ ଶାହାରୁଖ ସୈଫିଙ୍କୁ ଗୋଟାଏ ଘରୋଇ ଏସ୍ୟୁଭିରେ ସଡ଼କ ପଥରେ ନେବା ପାଇଁ କେରଳ ପୋଲିସ ଯୋଜନା କରିଥିଲା । ହେଲେ ଟାୟାର୍ ଲିକ୍ କାରଣରୁ ଏସ୍ୟୁଭି ରାସ୍ତାକଡ଼ରେ ଅଟକି ରହିଥିଲା । ସେଠାରେ ମାତ୍ର ୩ ଜଣ ପୋଲିସ ଅଧିକାରୀ ପହରା ଦେଉଥିବାବେଳେ ଅଭିଯୁକ୍ତକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଏହା ସନ୍ଦେହ ଘେରକୁ ଆସିଥିଲା । ଏପ୍ରିଲ୍ ୨ ତାରିଖ ରାତିରେ କୋଝିକୋଡ୍ ଜିଲ୍ଲାର ଏଲାତୁର ନିକଟ କୋରାପୁଝା ସେତୁରେ ଟ୍ରେନ୍ ପହଞ୍ଚିଥିଲା । ପେଟ୍ରୋଲ୍ ଢାଳି ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୯ ଜଣ ଯାତ୍ରୀ ପୋଡ଼ି ଆହତ ହୋଇଥିବାବେଳେ ଟ୍ରେନ୍ରୁ ଡେଇଁ ପଡ଼ି ଆଉ ୩ ଜଣ ପ୍ରାଣ ହରାଇଥିଲେ ।