IPL: ଜାଡେଜା ହିରୋ, ରୋମାଞ୍ଚକ ମ୍ୟାଚରେ ଚେନ୍ନାଇର ବାଜିମାତ୍, ଗୁଜରାଟ ନିରାଶ

ଶେଷରେ IPL ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ବର୍ଷା ବାଧାପ୍ରାପ୍ତ ଏକ ରୋମାଞ୍ଚକ ମ୍ୟାଚରେ ଗୁଜରାଟକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ୍ ଜିତିଛି ଧୋନି ବାହିନୀ । ଚଳିତଥରକୁ ମିଶାଇ ଏଯାଏ ୫ ଥର ଚାମ୍ପିଅନ୍ ହୋଇଛି ଚେନ୍ନାଇ ।

ଅହମ୍ମଦାବାଦରେ ଚେନ୍ନାଇ ସୁପର କିଙ୍ଗସର ବାଜିମାତ୍ । ରିଜର୍ଭ ଡେ’ରେ ଖେଳାଗଲା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ । ଏଥିରେ ବି ବର୍ଷା ବାଧକ ସାଜିଲା । ହେଲେ ବାଜି ମାରିଲା ଚେନ୍ନାଇ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ । ଆରମ୍ଭରୁ ଇନଫର୍ମ ଗିଲ୍ ଏବଂ ରିଦ୍ଧିମାନ ଶାହ ଧୂଆଁଧାର ବ୍ୟାଟିଂ କରିଥିଲେ । କିନ୍ତୁ ୩୯ ରନରେ ଗିଲ୍ ଆଉଟ୍ ପରେ ମୈଦାନକୁ ଆସିଥିବା ସାଇ ସୁଦର୍ଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୪୭ ବଲରୁ ୮ଟି ଚୌକା ଏବଂ ୬ଟି ଛକା ବଳରେ ୯୬ ରନର ବଢ଼ିଆ ଇନିଂସ ଖେଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ରିଦ୍ଧିମାନ ଶାହ । ସେ ୫୪ ରନର ଇନିଂସ ଖେଳି ବିଦାୟ ନେଇଥିଲେ । ଶେଷ ଭାଗରେ ଅଧିନାୟକ ପାଣ୍ଡ୍ୟା ୧୨ ବଲରୁ ୨୧ ରନ୍ କରିଥିବା ବେଳେ ଗୁଜରାଟ ୪ ୱିକେଟରେ କରିଥିଲା ୨୧୪ ରନ୍ ।

ସେପଟେ, ଚେନ୍ନାଇ ପାଇଁ ୨୧୫ ରନର ଟାର୍ଗେଟ୍ ରଖିଥିଲା ଗୁଜରାଟ । କିନ୍ତୁ ବାରମ୍ବାର ବର୍ଷା ପରେ ୧୫ ଓଭରରେ ୧୭୧ ରନ୍ ଚେଜ୍ କରିବାକୁ ପଡ଼ିଲା । ଆରମ୍ଭରୁ ଦାୟିତ୍ୱର ସହ ବ୍ୟାଟିଂ ଆରମ୍ଭ କରିଥିଲେ ଗାଏକୱାଡ ଏବଂ କନୱର । ତେବେ ଦଳକୁ ପ୍ରଥମ ଧକ୍କା ଦେଇଥିଲେ ନୁର ଅହମ୍ମଦ । ସେ ୨୬ ରନରେ ଗାଏକୱାଡକୁ ପ୍ୟାଭିଲିଅନ୍ ପଠାଇଥିଲେ । ପରେ ପରେ ୪୭ ରନରେ ଆଉଟ୍ ହୋଇଥିଲେ କନୱର । ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଡୁବେ । ରାହାଣେ ଏବେ ରାୟୁଡୁ କମ୍ ବଲରେ ଦ୍ରୁତ ରନ୍ ସଂଗ୍ରହ କରି ବିଦାୟ ନେଇଥିଲେ । ସେପଟେ, ଅଧିନାୟକ ଧୋନି କିନ୍ତୁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଦର୍ଶକ ନିରାଶ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଚେନ୍ନାଇ । ରାହାଣେ, ରାୟୁଡୁ ଏବଂ ଧୋନିଙ୍କୁ ଆଉଟ୍ କରି ମୋହିତ ଶର୍ମା ଚେନ୍ନାଇ ପାଇଁ ଘାତକ ସାଜିଥିଲେ ।

ଶେଷ ଓଭର କିନ୍ତୁ ବେଶ୍ ରୋମାଞ୍ଚକ ଥିଲା । ମୈଦାନରେ ଡୁବେ ଏବଂ ଜାଡେଜା ଥିବାବେଳେ ଦଳକୁ ବିଜୟ ପାଇଁ ୧୩ ରନ୍ ଆବଶ୍ୟକ ଥିଲା । ଇନଫର୍ମ ମୋହିତ ଶର୍ମା ବୋଲିଂ ଜାରି ରଖିଥିଲେ । ପ୍ରଥମ ୪ ବଲରେ ମାତ୍ର ୩ ରନ୍ ଦେଇ ଗୁଜରାଟକୁ ବିଜୟର ନିକଟତର କରାଇଥିଲେ ମୋହିତ । ଗୁଜରାଟ ସମର୍ଥକ, ଖେଳାଳି ସମସ୍ତେ ଖୁସିଥିଲେ । ହେଲେ ବାଧକ ସାଜିଲେ ଜାଡେଜା । ପଞ୍ଚମ ବଲରେ ବିଶାଳ ଛକା ମାରି ଗୁଜରାଟକୁ ଟେନସନରେ ପକାଇଥିଲେ । ପରବର୍ତ୍ତୀ ବଲ୍ କଣ ହେବ । ବିଜୟ ପାଇଁ ୪ ରନ୍ ଆବଶ୍ୟକ । ଆଉ ଶେଷରେ ଅନ୍ତିମ ବଲରେ ଚୌକା ମାରି ଏକ ଅବିଶ୍ୱାସନୀୟ ବିଜୟ ଭେଟି ଦେଲେ ଅଲରାଉଣ୍ଡର ଜାଡେଜା । ଗୁଜରାଟର ଦ୍ୱିତୀୟ ଥର ଟ୍ରଫି ନେବା ଆଶାକୁ ସେ ଧୂଳିସାତ୍ କଲେ । ଦଳକୁ ଏକ ରୋମାଞ୍ଚକ ବିଜୟ ଦେଲେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଜାଡେଜା ।

ଶେଷରେ IPLର ଷୋଡ଼ଶ ସଂସ୍କରଣ ଟାଇଟଲ୍ ନିଜ ନାଁରେ କରିଛି ଚେନ୍ନାଇ । ଚଳିତଥରକୁ ମିଶାଇ ଏଯାଏ ଦଳ ୫ ଥର ଚାମ୍ପିଅନ ହୋଇଛି । ପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ୍ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ । ପୂର୍ବରୁ କେବଳ ମୁମ୍ବାଇ ୫ ଥର ଆଇପିଏଲ୍ ଟ୍ରଫି ଜିତିଛି । ସେପଟେ, ଗୁଜରାଟ ଲଗାତାର ଦ୍ୱିତୀୟ ଥର ଚାମ୍ପିଅନ୍ ହେବାରୁ ବଞ୍ଚିତ ହୋଇଛି । ଶେଷ ଦୁଇ ବଲରେ ଛକା ଓ ଚୌକା ଯୋଗୁଁ ଦଳ ପରାସ୍ତ ହେଲା । ଗୁଜରାଟ ସମର୍ଥକ, ଖେଳାଳି ନିରାଶ ହୋଇଥିବା ବେଳେ ଧୋନିପ୍ରେମୀ ଖୁସି ମନାଇଛନ୍ତି । ସେପଟେ, ଧୋନିଙ୍କ ଆଇପିଏଲ୍ ଅବସର ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

Leave a Reply

Your email address will not be published. Required fields are marked *