IPL: ପ୍ଲେଅଫ୍ ରାଉଣ୍ଡ ପାଇଁ ଚତୁର୍ଥ ଟିମ୍ ସସପେନ୍ସ

ଫଟାଫଟ୍ କ୍ରିକେଟ୍ IPL ଏବେ ଶେଷ ପର୍ଯ୍ୟାୟରେ । ଲିଗ୍ ପର୍ଯ୍ୟାୟ ପରେ ପ୍ଲେଅଫ୍ ରାଉଣ୍ଡ । ଆଜି ୨ଟି ମ୍ୟାଚ୍ ପରେ ଶେଷ ହେବ ଲିଗ୍ ପର୍ଯ୍ୟାୟ । ତେବେ, ପ୍ଲେଅଫ୍ ରାଉଣ୍ଡର ଚତୁର୍ଥ ସ୍ଥାନକୁ ନେଇ ସସପେନ୍ସ ଲାଗି ରହିଛି ।

୨୩ ତାରିଖରୁ ଆରମ୍ଭ ହେବ ପ୍ଲେଅଫ୍ ରାଉଣ୍ଡ । ଏଥିପାଇଁ ୩ଟି ଟିମ୍ କ୍ୱାଲିଫାଏ କରିସାରିଛନ୍ତି । ଚତୁର୍ଥ ଟିମ୍ ଭାବେ କିଏ କ୍ୱାଲିଫାଏ କରିବ । IPLରେ ଏଯାଏ ୬୮ଟି ମ୍ୟାଚ୍ ଶେଷ ହୋଇଛି । ଆଜି ମୁମ୍ବାଇ ଓ ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଓ ଗୁଜରାଟ ମଧ୍ୟରେ ଦୁଇଟି ମ୍ୟାଚ୍ ପରେ ପ୍ଲେଅଫ୍ ରାଉଣ୍ଡ ଆରମ୍ଭ ହେବ । ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜରାଟ ଟାଇଟନ୍ସ । ୧୭ ପଏଣ୍ଟ ସହ ଦ୍ୱିତୀୟରେ ଚେନ୍ନାଇ ଏବଂ ୧୭ ପଏଣ୍ଟ ସହ ତୃତୀୟରେ ଲକ୍ଷ୍ନୌ ରହିଛି । ୩ଟି ଟିମ୍ ପ୍ଲେଅଫ୍ ରାଉଣ୍ଡକୁ କ୍ୱାଲିଫାଏ କରିସାରିଛନ୍ତି । ତେବେ ଚତୁର୍ଥ ଟିମକୁ ନେଇ ସମୀକରଣ ଅଲଗା ରହିଛି । ଏହି ରେସରେ ବାଙ୍ଗାଲୋର, ମୁମ୍ବାଇ ଏବଂ ରାଜସ୍ଥାନ ଥିବାବେଳେ କିଏ ପ୍ଲେଅଫ୍ ରାଉଣ୍ଡକୁ ଉନ୍ନୀତ ହେବ ସେ ନେଇ ଟେନସନ ବଢୁଛି ।

ଆଜି ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟରେ ଅପରାହ୍ଣ ସାଢ଼େ ୩ଟାରେ ଖେଳାଯିବ ମ୍ୟାଚ୍ । ୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ମୁମ୍ବାଇ । ନେଟ୍ ରନରେଟରେ ବାଙ୍ଗାଲୋର ଏବଂ ରାଜସ୍ଥାନ ଠାରୁ ପଛରେ ରହିଛି ଦଳ । ରାଜସ୍ଥାନ ନିକଟରେ କୌଣସି ମ୍ୟାଚ୍ ନାହିଁ କିନ୍ତୁ ୧୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ଟିମ୍ । ସେପଟେ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗାଲୋର ନିକଟରେ ଗୋଟିଏ ମ୍ୟାଚ୍ ଥିବାବେଳେ ନେଟ୍ ରନରେଟରେ ଏହି ଦୁଇ ଟିମ୍ ଠାରୁ ଆଗରେ ରହିଛି । ଆଜି ପଏଣ୍ଟ ଟେବୁଲର ଶେଷରେ ଥିବା ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ । ବିପୁଳ ବ୍ୟବଧାନରେ ହାଇଦ୍ରାବାଦକୁ ପରାସ୍ତ କଲେ ଉନ୍ନତ ରନରେଟରେ ଚତୁର୍ଥ ସ୍ଥାନ ହାସଲ କରିପାରେ । ହାରିଲେ ବିଦାୟ ନେବ ଦଳ । ତେଣୁ ଆଜି ପୁରା ଦମର ସହ ଲଢ଼ିବାକୁ ମୁମ୍ବାଇ ଖେଳାଳି ତୟାର ।

୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ବାଙ୍ଗାଲୋର । ନେଟ୍ ରନରେଟରେ ବହୁତ ଭଲ ରହିଛି । ତଥାପି ଦଳକୁ ଗୁଜରାଟ ବିପକ୍ଷରେ ବିଜୟୀ ହେବାକୁ ପଡ଼ିବ । ୧୬ ପଏଣ୍ଟ ହେଲେ ସୁଦ୍ଧା ନେଟ୍ ରନରେଟ୍ ଭଲ ରହିବା ଆବଶ୍ୟକ । କାରଣ ମୁମ୍ବାଇ ଯଦି ଭଲ ରନରେଟରେ ବିଜୟୀ ହୁଏ ତେବେ ବାଙ୍ଗାଲୋର ପାଇଁ ଟେନସନ୍ । ତେଣୁ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ ।

ସେପଟେ, ରାଜସ୍ଥାନକୁ ଭାଗ୍ୟ ସାଥ୍ ଦେଲେ ଦଳ କ୍ୱାଲିଫାଏ କରିପାରେ । କାରଣ ଦଳ ସମସ୍ତ ମ୍ୟାଚ୍ ଖେଳି ୧୪ ପଏଣ୍ଟରେ ଅପେକ୍ଷା କରିଛି । ଯଦି ମୁମ୍ବାଇ ଏବଂ ବାଙ୍ଗାଲୋର ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାସ୍ତ ହୁଅନ୍ତି, ନେଟ୍ ରନରେଟ୍ ଭଲ ନରହେ ତେବେ ହୁଏତ ପ୍ଲେଅଫ୍ ରାଉଣ୍ଡକୁ କ୍ୱାଲିଫାଏ ପାଇଁ ରାଜସ୍ଥାନକୁ ସୁଯୋଗ ମିଳିପାରେ । ସେପଟେ କୋଲକାତା, ପଞ୍ଜାବ, ଦିଲ୍ଲୀ ଏବଂ ହାଇଦ୍ରାବାଦ IPLର ପ୍ଲେଅଫ୍ ରାଉଣ୍ଡରୁ ବଞ୍ଚିତ ହୋଇଛନ୍ତି । ଏଯାଏ ଗୁଜରାଟ, ଚେନ୍ନାଇ ଏବଂ ଲକ୍ଷ୍ନୌ କ୍ୱାଲିଫାଏ କରିଥିବା ବେଳେ ଚତୁର୍ଥ ଟିମ୍ ପାଇଁ ଲଢ଼େଇ ହେବ ।

Leave a Reply

Your email address will not be published. Required fields are marked *