ଫଟାଫଟ୍ କ୍ରିକେଟ୍ IPL ଏବେ ଶେଷ ପର୍ଯ୍ୟାୟରେ । ଆଜିଠାରୁ ପ୍ଲେଅଫ୍ ରାଉଣ୍ଡ ଆରମ୍ଭ । ମାତ୍ର ଆଉ ୪ଟି ମ୍ୟାଚ୍ ଖେଳାଯିବ । ଟାଇଟଲ୍ କିଏ ଜିତିବ ସେ ନେଇ କୌଣସି ଆକଳନ କରିବା ମୁସ୍କିଲ ହେଉଛି ।
ଆଜି ପ୍ରଥମ କ୍ୱାଲିଫାଏର ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୭.୩୦ରେ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଡିଫେଣ୍ଡି ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଏବଂ ଅଲ୍ ଟାଇମ୍ ଫେବୋରାଇଟ୍ ଚେନ୍ନାଇ ସୁପର କିଙ୍ଗସ । ଶକ୍ତିଶାଳୀ ଦୁଇ ଟିମ୍ ମଧ୍ୟରେ ଆଜି ମହାମୁକାବିଲା ଦେଖିବାକୁ ମିଳିବ । କିଏ ଆଗୁଆ ଫାଇନାଲରେ ଏଣ୍ଟ୍ରି କରିବ ସେ ନେଇ ମୈଦାନରେ ଲଢ଼ିବେ ଉଭୟ ଟିମ୍ । କାରଣ ଆଜିର ବିଜେତା ସିଧାସଳଖ ଫାଇନାଲରେ ଏଣ୍ଟ୍ରି କରିବ । ପରାଜିତ ଦଳକୁ କ୍ୱାଲିଫାଏର-୨ ପାଇଁ ଆଉ ଏକ ସୁଯୋଗ ମିଳିବ ।
ଗତଥରର ଚାମ୍ପିଅନ୍ ତଥା ଚଳିତଥରର ଟପରେ ଥିବା ଗୁଜରାଟ ଟାଇଟନ୍ସ ଆଉ ଏକ ଟାଇଟଲ୍ ଅପେକ୍ଷାରେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି । IPLର ଇନଫର୍ମ ପ୍ଲେୟାର ଶୁବମନ୍ ଗିଲ୍ ଏକାକୀ ମ୍ୟାଚ୍ ୱିନର । କେତେବଡ଼ ଟାର୍ଗେଟ୍ ହେଉନା କାହିଁକି ସବୁ ପ୍ରକାର ସଟ୍ ଖେଳି ବୋଲରଙ୍କୁ ଘାଇଲା କରୁଛନ୍ତି ଗିଲ୍ । ମ୍ୟାଚ୍ ଆରମ୍ଭ କରିବା ସହ ଫିନିସିଂ ବି କରୁଛନ୍ତି ଯାହା ଦଳ ପାଇଁ ପ୍ଲସ୍ ପଏଣ୍ଟ ।
ଶେଷରେ ମିଲର, ଅଲରାଉଣ୍ଡର ରସିଦ ଖାଁଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରାଉଛି । ହାର୍ଦ୍ଦିକ ପାଣ୍ଡ୍ୟା, ରିଦ୍ଧିମାନ ଶାହା, ବିଜୟ ଶଙ୍କରଙ୍କ ବି ଅବଦାନ ପ୍ରଶଂସନୀୟ । ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳୁଛନ୍ତି ଅଭିଜ୍ଞ ମହମ୍ମଦ ସାମି, ନୁର୍ ଅହମ୍ମଦ, ମୋହିତ ଶର୍ମା ଏବଂ ରସିଦ ଖାଁ । ତେଣୁ ଇନଫର୍ମ ଖେଳାଳିଙ୍କୁ ନେଇ ପୁରା ଦମର ସହ ପଡ଼ିଆକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ ।
IPL ଇତିହାସର ସବୁଠୁ ସଫଳ ଟିମ୍ ଚେନ୍ନାଇ ସୁପର କିଙ୍ଗସ । ଗତଥର ସାମାନ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଦଳ । ହେଲେ ଏଥିରେ ସୁଧାର ଆଣି ଚଳିତଥର ପ୍ଲେଅଫରେ ଏଣ୍ଟ୍ରି କରିଛି ଧୋନି ବାହିନୀ । ଓପନର ଗାଏକୱାଡ, କନୱେ ପୁରା ଫର୍ମରେ ଅଛନ୍ତି । ଉଭୟଙ୍କ ବ୍ୟାଟ୍ ଚାଲିଲେ ଗୁଜରାଟ ପାଇଁ ଅଡୁଆ ହେବ । ଚଳିତ ସିଜିନରେ ରାହାଣେ ଏବଂ ଡୁବେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି ।
ଡେଥ୍ ଓଭରରେ କ୍ୟାପଟେନ୍ କୁଲ, ଜାଡେଜା, ମୋଇନ୍ ଅଲ୍ଲୀଙ୍କ ପରେ ଖେଳାଳି ଦ୍ରୁତ ରନ୍ ସଂଗ୍ରହ କରୁଛନ୍ତି । ତେଣୁ ଦଳକୁ ବ୍ୟାଟିଂ ନେଇ କୌଣସି ଟେନସନ୍ ନାହିଁ । ବୋଲିଂରେ ଦୀପକ ଚହର ପୁରା ଲୟରେ ଅଛନ୍ତି । ପାୱାର ପ୍ଲେରେ ହିଁ ସେ ଗୋଟାଏ ଦୁଇଟି ୱିକେଟ୍ ନେବାରେ ସକ୍ଷମ । ତେଣୁ ବିପକ୍ଷ ଟିମ୍ ପାଇଁ ସେ ଘାତକ ସାଜିପାରନ୍ତି । ଅଭିଜ୍ଞ ଜାଡେଜା, ମୋଇନ୍ ଅଲ୍ଲୀ, ପଥିରାଣା, ଦେଶପାଣ୍ଡେ ମଧ୍ୟ ଭଲ ବୋଲିଂ ଜାରି ରଖିଛନ୍ତି । ପ୍ରଥମ ଲିଗରେ ଚେନ୍ନାଇକୁ ହରାଇଥିଲା ଗୁଜରାଟ । ତେଣୁ ଆଜିର ମ୍ୟାଚରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଚେନ୍ନାଇ । ଧୋନି ଏଥର IPLରୁ ବିଦାୟ ନେବା ସମ୍ଭାବନା ରହିଛି । ତେଣୁ ଶେଷରେ ହୋମ ଗ୍ରାଉଣ୍ଡରେ ବିଜୟୀ ଭେଟି ଦେବାକୁ ସେ ପ୍ରୟାସ କରିବେ ।