ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା

ରାଜଧାନୀରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି ଭୁବନେଶ୍ୱର । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଦ୍ୱାରା କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗିପଡ଼ିଛି । ଭୁବନେଶ୍ୱର ସମେତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

କିଛି ସ୍ଥାନରେ ଚାଳ, ଛପର ଉଡ଼ାଇ ନେଇଛି । ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଛି । ଆଜି ଅପରାହ୍ଣ ସାଢ଼େ ୨ଟାରୁ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ରାସ୍ତାରେ ପାଣି ପ୍ରବାହିତ ହୋଇଥିବା ବେଳେ ବର୍ଷା ଯୋଗୁଁ ଆଗାମୀ ଦୁଇ ତିନି ଦିନ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

ସେହିପରି ଢେଙ୍କାନାଳ, କଟକ, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ଭଳି ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଲେ ମଧ୍ୟ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏହାର ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *