
ଆସୁଛି ‘ବିପର୍ଯ୍ୟୟ’ । ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଉତ୍ତର ଏବଂ ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏ ନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ଅନୁସାରେ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ରହିଛି । ଏହି ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍ ଦୂରରେ ଗତି କରୁଛି ।

ଆଗାମୀ ୩୬ ଘଣ୍ଟା ମଧ୍ୟରେ ତୀବ୍ରତର ହେବା ସହ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ । ପୂର୍ବରୁ ଜାରି ବୁଲେଟିନ୍ରେ ପାଣିପାଗ ବିଭାଗ କହିଛି ଯେ ଜୁନ୍ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, ଗୋଆର ପଶ୍ଚିମ ଓ ଦକ୍ଷିଣପଶ୍ଚିମ ଏବଂ ମୁମ୍ବାଇର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ରହିଥିଲା । ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆରବ ସାଗରର ଏହି ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ କହିଛି । ସେପଟେ, ଗତକାଲି ମୌସୁମୀ କେରଳ ଛୁଇଁଛି ।
ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ ବୋଲି ସମ୍ଭାବନା ରହିଛି । ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ଥିବାବେଳେ କେରଳ ଏବଂ ତାମିଲନାଡୁରେ ବର୍ଷା ଜାରି ରହିଛି ।