ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ୨୦୦୦ ଟଙ୍କା ପ୍ରତ୍ୟାହାର ନିଷ୍ପତ୍ତି ପରେ ଅଳଙ୍କାର ବଜାରରେ ନିଆଁ ଲାଗିଯାଇଛି। ଦେଶର ସୁନା, ରୁପା କିଣା ସମ୍ୱନ୍ଧିତ ଇନକ୍ୱାରୀ ବଢିଯାଇଛି। ଅଳଙ୍କାର କାରବାର ସଂସ୍ଥା ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲାରୀ ଡୋମେଷ୍ଟିକ କାଉନସିଲ ବା ଜେଜେସି କହିଛି କି, ୨୦୧୬ର ନୋଟବନ୍ଦୀ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଥିଲା, ତାର ବିପରିତ ରହିଛି ସାମ୍ପ୍ରତିକ ସ୍ଥିତି। ବର୍ତ୍ତମାନ ଲୋକଙ୍କ ଭିତରେ ସେହି ଆତଙ୍କର ସ୍ଥିତି ନାହିଁ।
ଅନ୍ୟ ପଟରେ କିଛି ଅଳଙ୍କାର ନିର୍ମାତା ସୁନା କିଣିବା ଉପରେ ୫-୧୦ ପ୍ରତିଶତ ପ୍ରିମିୟମ ନେବା ଆରମ୍ଭ କରିଦେଇଛନ୍ତି। ଫଳରେ ଏହି ହଳଦିଆ ଧାତୁର ଦର ୧୦ ଗ୍ରାମ ପ୍ରତି ୬୬ହଜାର ହୋଇଯାଇଛି। ବର୍ତ୍ତମାନ ଦେଶରେ ୧୦ ଗ୍ରାମ ସୁନା ଦର ୬୦,୨୦୦ ଟଙ୍କା ରହଛି। ତେବେ ଲୋକଙ୍କ ଉତ୍ସୁକତାକୁ ଦେଖି ସୁନା ଦର ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ତେବେ ଏହା ସ୍ୱଳ୍ପ ଦିନ ପାଇଁ ରହିବ ବୋଲି ଜେଜେସି ଅଧ୍ୟକ୍ଷ ସଞ୍ଜମ ମେହରା କହିଛନ୍ତି।
୨୦୦୦ ନୋଟ ବଦଳରେ ସୁନା କିଣିବାକୁ ନେଇ ଲୋକଙ୍କ ଯାଞ୍ଚ ବୃଦ୍ଧିପାଇଥିଲା ବେଳେ ଶନିବାର ଏହା ରେକର୍ଡ ସୃଷ୍ଟି କରିଛି। ଦୋକାନରେ ଗ୍ରାହକଙ୍କ ଭିଡ ଅଧିକ ରହିଛି, କିନ୍ତୁ କଠୋର କେୱାଇସି ନିୟମ ପାଇଁ ବାସ୍ତବ କ୍ରୟ ହ୍ରାସ ପାଇଛି। ସୁନାର ଚାହିଦା ବୃଦ୍ଧି ସହ ଦର ବୃଦ୍ଧିର ଖବର ଆସୁଛି ବୋଲି ମେହରା କହିଛନ୍ତି। ମୁମ୍ବାଇ ବଜାରରେ ସୁନା ଦାମ ଜିଏସଟି ସମେତ ପ୍ରାୟ ୬୩,୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିବା ବେଳେ ୨୦୦୦ ଟଙ୍କିଆ ନୋଟରେ କିଣିବା କ୍ଷତ୍ରରେ ୬୭,୦୦୦ ଟଙ୍କା ୧୦ ଗ୍ରାମ ପାଇଁ ଆଦାୟ ହେଉଛି।
ସେହିପରି ସୁରତରେ ସୁନା ଅଳଙ୍କାର ବ୍ୟବସାୟୀ ୨୦୦୦ ଟଙ୍କା ପଇଠ କରିବାକୁ ଥିଲେ ୧୦ ପ୍ରତିଶତ ପ୍ରିମିୟମ ଆଦାୟ କରୁଛନ୍ତି। ଦିଲ୍ଲୀରେ ମଧ୍ୟ ବହୁ ଅଳଙ୍କାର ବ୍ୟବସାୟୀଠାରୁ ଏହି ଶ୍ରେଣୀର ନୋଟ ବଦଳରେ ବିପୁଳ ଅଳଙ୍କାର କିଣା ହେଉଥିବାର ଖବର ରହିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲାରୀ ଆସୋସିଏସନ ମୁତାବକ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦାମ ୬୦,୨୪୮ ଟଙ୍କା ରହିଛି, ଯେତେବେଳେ କି ୨୨ କ୍ୟାରେଟ ସୁନାର ଦାମ ୫୮,୮୩୦ ଟଙ୍କା ରହିଛି। ଏଥିରେ ତିନି ପ୍ରତିଶତ ଜିଏସଟି ଓ ମେକିଂ ଚାର୍ଜ ସାମିଲ ନାହିଁ।
ମେ ୧୯ ରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ତେବେ ୨୦୦୦ ଟଙ୍କା ଆକାଉଣ୍ଟରେ ଜମା କରିବାକୁ କିମ୍ବା ବଦଳାଇବାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ ଲୋକଙ୍କୁ ବ୍ୟତିବ୍ୟସ୍ତ ନହୋଇ ୪୦ ଦିନ ଭିତରେ ନିକଟରେ ଥିବାରୁ ସାମଗ୍ରୀ ଏବଂ ସେବା ଟିକସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ହଲମାର୍କ ଥିବା ଗହଣା ଉତ୍ପାଦନକାରୀଙ୍କୁ ସଂଗଠିତ ହେବାକୁ ତଥା ଆନୁଷ୍ଠାନିକ ବ୍ୟବସାୟ କରିବାକୁ ଉତ୍ସାହିତ କରିଛନ୍ତି ଜେଜେସି ଅଧ୍ୟକ୍ଷ।