ଗୁପଚୁପ୍ ବିକୁଥିଲେ, ଏବେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର

ଟିମ ଇଣ୍ଡିଆର ୟଙ୍ଗ୍ ଓପନର ବ୍ୟାଟର ତଥା ୟଙ୍ଗ୍ ସେନସେସନ ହେଉଛନ୍ତି ଜଶସ୍ୱୀ ଜୟସ୍ୱାଲ । ଏବେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିବା ଜୟସ୍ୱାଲ ଶତକ ମାରି ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ଆଇପିଏଲରେ ଧମାକାଦାର ବ୍ୟାଟିଂ କରି ଫ୍ରାଞ୍ଚାଇଜି ଓ ଫ୍ଯାନଙ୍କ ମନ ଜିତିଥିବା ଜୟସ୍ୱାଲ ନିଜ ଟେଷ୍ଟ ଟାଲେଣ୍ଟ ଦେଖାଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ମ୍ୟାଚରେ ଶତକ କରି ଏବେ ଦମଦାର ଫର୍ମରେ ଅଛନ୍ତି । ତେବେ ଗରିବରୁ କୋଟିପତି ହୋଇଥିବା ଜୟସ୍ୱାଲଙ୍କ ସଂଘର୍ଷ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତ ଜାଣିଛେ । ନିଜ ବାପାଙ୍କ ସହ ରାସ୍ତା କଡ଼ରେ ଗୁପଚୁପ ବିକ୍ରି କରୁଥିବା ଜୟସ୍ୱାଲ ଏତେ ସଫଳ ଓ ରେକର୍ଡ କରିବେ, ତାହା କେହି କେବେ ଚିନ୍ତା କରି ନ ଥିଲେ । କିନ୍ତୁ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ଇଛାଶକ୍ତି ବଳରେ ଉତ୍ତର ପ୍ରଦେଶର ଏକ ଛୋଟିଆ ସହରରୁ ଆସି, ମୁମ୍ବାଇ ଭଳି ସ୍ୱପ୍ନର ସହରରେ କ୍ରିକେଟ କ୍ୟାରିୟର ଗଢ଼ିଛନ୍ତି । ପିଲାଟି ଦିନରୁ ଗରିବୀକୁ ସେ ଅତି ପାଖରୁ ଦେଖିଛନ୍ତି । ପଡ଼ିଆର ତମ୍ବୁ ତଳେ ରହୁଥିବା ଜୟସ୍ୱାଲ, ଏବେ କିନ୍ତୁ କୋଟି କୋଟି ଟଙ୍କାର ମାଲିକ । ହେଲେ ଆପଣ ଜାଣନ୍ତି କି, ଏବେ କେତେ କୋଟି ଟଙ୍କାର ମାଲିକ ଯଶସ୍ୱୀ ଜୟସ୍ୱାଲ ?

କ୍ରିକେଟରେ କ୍ୟାରିୟର ଗଢ଼ିବା ପାଇଁ ମାତ୍ର ୧୨ ବର୍ଷ ବୟସରେ ସେ ଉତ୍ତର ପ୍ରଦେଶରୁ ମୁମ୍ବାଇ ଆସିଥିଲେ । କ୍ୟାରିୟର ଗଢ଼ିବା ପାଇଁ ଗୁପଚୁପ ବିକିବା ସହ ଅନେକ ଦୁଃଖ ସହିଛନ୍ତି । ଏହି ବାମହାତୀ ବ୍ୟାଟର ୨୦୨୦ ମସିହା ଅଣ୍ଡର-୧୯ ବିଶ୍ୱକପରେ ଯେତେବେଳେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଂଟ ହୋଇଥିଲେ, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଇପିଏଲ ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବା ସହ ଦଳରେ ସ୍ଥାନ ଦେଇଥିଲା । ଅଣ୍ଡର-୧୯ରେ ଦମଦାର ପ୍ରଦର୍ଶନ କରିଥିବା ଜୟସ୍ୱାଲଙ୍କୁ ୨ କୋଟି ୪୦ ଲକ୍ଷରେ କିଣିଥିଲା ରାଜସ୍ଥାନ ରୟାଲ୍ସର ଫ୍ରାଂଚାଇଜ୍ । ନିଜର ଖେଳ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଜୟସ୍ୱାଲ । ଦଳ ତାଙ୍କୁ ରଖିଥିବା ବେଳେ ପ୍ରାଇସ୍ ମଧ୍ୟ ବଢ଼ାଇଛି । ଜୟସ୍ୱାଲ ଏବେ ୪ କୋଟି ଟଙ୍କା ନେଉଛନ୍ତି । ଏବେ ସେ ୨୩ କୋଟି ଟଙ୍କାର ମାଲିକ ଅଟନ୍ତି । କେବଳ ଆଇପିଏଲରୁ ୧୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ପ୍ରତି ବର୍ଷ ତାଙ୍କର ନେଟ୍ ୱର୍ଦ ବା ଆର୍ଥିକ ମୂଲ୍ୟ ୫୮ ପ୍ରତିଶତ ବୃଦ୍ଧି ପାଉଛି । ଚର୍ଚ୍ଚା ହେଉଛି, ଯଶସ୍ବୀ ଏବେ ଏକ ବଙ୍ଗଳା କିଣିଛନ୍ତି । ମୁମ୍ବାଇ ସହ ସେ ନିଜ ରାଜ୍ୟ ଉତ୍ତର ପ୍ରଦେଶରେ ବି ଘର କରିଛନ୍ତି । ଏକ ବାପା ଯିଏ ଗୁପଚୁପ୍ ବିକ୍ରି କରୁଥିଲା, ଏକ ପୁଅ ଯିଏ ବାପାଙ୍କୁ ଏହି ବେପାରରେ ସାହାଯ୍ୟ କରୁଥିଲା, ସେ ଏବେ ନିଜ କଠିନ ପରିଶ୍ରମ ଓ ଭାଗ୍ୟ ବଳରେ କୋଟିପତି । କ୍ରିକେଟ ପଡିଆର ଟେଣ୍ଟରେ ଶୋଉଥିବା ପିଲା, ଏବେ କୋଟିଏ ଟଙ୍କାର ଘରେ ନିଜ ବାପା ମାଙ୍କୁ ନେଇ ରହୁଛି । ଯାହାକି ଏକ ବଲିଉଡ୍ ସିନେମାର କାହାଣୀ ପରି ।

Leave a Reply

Your email address will not be published. Required fields are marked *