ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ପ୍ରଥମ ଇନିଂସ ୧୮୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ନୀତୀଶ ରେଡ୍ଡୀ ସର୍ବାଧିକ ୪୨ ରନ ସ୍କୋର କରିଥିବାବେଳେ କେ.ଏଲ.ରାହୁଲ ୩୭ ରନ ସ୍କୋର କରିଥିଲେ। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୬ଟି ଉଇକେଟ ନେଇଥିଲେ। ମ୍ୟାଚ୍ର ପ୍ରଥମ ବଲ ଟିମ ଇଣ୍ଡିଆର ଜୟସ୍ବାଲ ଏଲବିଡବ୍ଲୁ ଆଉଟ ହୋଇଥିଲେ। ଏହା ପରେ କେଏଲ ରାହୁଲ ଏବଂ ଶୁବମାନ ଗିଲଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟ ପାଇଁ ୬୯ ରନର ଭାଗିଦାରୀ ହୋଇଥିଲା। ଷ୍ଟାର୍କ ଏହି ଭାଗିଦାରୀକୁ ଭାଙ୍ଗି ରାହୁଲଙ୍କୁ ପ୍ୟାଭିଲିୟନକୁ ପଠାଇଲେ। ରାହୁଲ ୩୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ୭ ରନ ସ୍କୋର କରିବା ପରେ ବିରାଟ କୋହଲି, ୩୧ ରନ ସ୍କୋରରେ ଗିଲ ଏବଂ ତିନି ରନ ସ୍କୋର କରି ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଉଟ ହୋଇଥିଲେ। ଏକ ସମୟରେ ଭାରତର ସ୍କୋର ଗୋଟିଏ ଉଇକେଟ ହରାଇ ୬୯ ରନ ଥିବା ବେଳେ କିଛି ମିନିଟରେ ଭାରତ ଲଗାତର ଉଇକେଟ ହରାଇ ପାଞ୍ଚ ଉଇକେଟରେ ୮୭ ରନ ହୋଇଯାଇଥିଲା। ଅର୍ଥାତ୍ ଭାରତ ୧୮ ରନ ସ୍କୋର କରି ଆଉ ଚାରିଟି ଉଇକେଟ ହରାଇଥିଲା।
ଏହା ପରେ ରିଷଭ ପନ୍ତ ପାରିକୁ ଆଗକୁ ନେବାରେ ବିଫଳ ହୋଇଥିଲେ ଏବଂ ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଶ୍ୱିନ ନୀତୀଶ ରେଡ୍ଡୀଙ୍କ ସହ ଇନିଂସକୁ ଆଗକୁ ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ଷ୍ଟାର୍କଙ୍କ ଆକ୍ରମଣାତ୍ମକ ବୋଲିଂରେ ଅଶ୍ୱିନଙ୍କ ଉଇକେଟ ମଧ୍ୟ ଚାଲି ଯାଇଥିଲା। ଏହା ପରେ ଖାତା ନ ଖୋଲି ହର୍ଷିତ ରାଣା ଏବଂ ଜସପ୍ରୀତ ବୁମ୍ରା ଆଉଟ ହୋଇଥିଲେ। ଶେଷ ଉଇକେଟ ଭାବରେ ୫୪ଟି ବଲରେ ତିନି ଚୌକା ଓ ୩ଟି ଛକା ସହାୟତାରେ ୪୨ ରନ ସ୍କୋର କରିବା ପରେ ନୀତୀଶ ଷ୍ଟାର୍କଙ୍କ ଷଷ୍ଠ ଶିକାର ହୋଇଥିଲେ। ଷ୍ଟାର୍କଙ୍କ ବ୍ୟତୀତ ପ୍ୟାଟ କମିନ୍ସ ଏବଂ ସ୍କଟ ବୋଲାଣ୍ଡ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଭାରତର ଏହି ଟପ ଅର୍ଡର କୋଲାପ୍ସ ପରେ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।