
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜନ୍ମମାଟିରେ ପାଦ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଇରଙ୍ଗପୁରରେ ପହଞ୍ଚଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ ।

ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ ମହାମହିମ ।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ । ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ଯାଇ ସେଠାରେ ଭ୍ରମଣ କରିବେ। ପୁଣି ହେଲିକପ୍ଟର ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

ସେଠାରେ ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଏଥିସହ ଅତିଥି ଭବନରେ ବିଶ୍ରାମ ନେବେ । ୬ ତାରିଖ ସକାଳେ ବାରିପଦା ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟରରେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ । ..

ଗତବର୍ଷ ରାଷ୍ଟ୍ରପତି ଭାବେ ନିର୍ବାଚତ ପରେ ମହାମହିମଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ । ଆଜି ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି । ଏଥିପାଇଁ ଗାଁ ପୁରାପୁରା ସଜେଇ ହୋଇଛି । ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ ।
